Categories: ଜାତୀୟ

ବୋମ୍ମାଇ ଜଣେ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ, କଂଗ୍ରେସର କଡ଼ା ସମାଲୋଚନା…

ବେଙ୍ଗାଲୁରୁ, ୧୦।୮ : କର୍ନାଟକ ଚର୍ଚ୍ଚା ଜୋର ଧରିଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବଦଳ କରାଯିବା ସହିତ ଭାଜପା ପକ୍ଷରୁ ଦଳର ରାଜ୍ୟ ୟୁନିଟରେ ପରିବର୍ତ୍ତନ ଅଣାଯିବାର ସମ୍ଭାବନା ରହିଛି। ତେବେ ଦଳର ନେତାମାନେ ଏଭଳି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି।

ଏଥି ସହ ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କୁ ଟାର୍ଗେଟ କରି ତାଙ୍କୁ ଜଣେ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ ବୋଲି କହିଛି। ନିକଟ ଅତୀତରେ ଭାଜପାର ରାଜ୍ୟ ୟୁନିଟରେ ବ୍ୟାପକ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ଚାଲିଛି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କର୍ନାଟକ ଗସ୍ତ ପରେ ଏଭଳି ଚର୍ଚ୍ଚା ଅଧିକ ହେବାରେ ଲାଗିଛି। କଂଗ୍ରେସ ଦାବି କରିଛି ଯେ ନିର୍ବାଚନ ପୂର୍ବରୁ ରାଜ୍ୟରେ କୌଣସି ନେତାଙ୍କ ଚେହେରା ନ ଥିବାରୁ ଭାଜପା କ୍ଷମତାସୀନ ଆସନରେ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ ସ୍ଥାପନ କରିବାକୁ ଚେଷ୍ଟା କରୁଛି।

କର୍ନାଟକ କଂଗ୍ରେସ ଟୁଇଟ କରି କହିଛି, ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି କିନ୍ତୁ ଭାଜପା ପାଇଁ ଏହା ଏକ ରାଜନୈତିକ କ୍ଷମତା ଖେଳ। ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ପରିବର୍ତ୍ତେ କର୍ନାଟକରେ ଭାଜପା ଜଣେ ତୃତୀୟ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଚିନ୍ତା କରୁଛି। ଯେତେବେଳେ ବି ରାଜ୍ୟ ସଙ୍କଟରେ ପଡ଼େ, ଭାଜପା ଏଭଳି ଏକ କ୍ଷମତାଚ୍ୟୁତ ଖେଳ ଆରମ୍ଭ କରେ ବୋଲି କଂଗ୍ରେସ କହିଛି। କଂଗ୍ରେସ କହିଛି ଯେ ବୋମ୍ମାଇ ଏବେ ଚେୟାର ଛାଡିବାକୁ ଘଣ୍ଟା ଗଣନା କରୁଛନ୍ତି।

ଦଳ ପ୍ରଶ୍ନ କରିଛି ଯେ ପ୍ରଶାସନିକ ବିଫଳତା, ଭାଜପା ଭିତରେ ଆଭ୍ୟନ୍ତରୀଣ କନ୍ଦଳ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପାଙ୍କ ଅସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କ ବଦଳିକୁ ନେଇ କଳ୍ପନା ଜଳ୍ପନାର କାରଣ ପାଲଟିଛି। ପୂର୍ବତନ ଭାଜପା ବିଧାୟକ ବି ସୁରେଶ ଗୌଡା ଦଳର କିଛି ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେବାର ଗୋଟିଏ ଦିନ ପରେ କଂଗ୍ରେସର ପ୍ରତିକ୍ରିୟା ଆସିଛି। ସୁରେଶ କହିଥିଲେ ଯେ ଦଳର ନେତୃତ୍ୱ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ତଥା ଦଳ ପାଇଁ ଆଗ୍ରହର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଚାର କରିବେ ଏବଂ ଭବିଷ୍ୟତରେ ନିର୍ବାଚନ ଜିତିବେ ନେଇ ଦଳ ପଦକ୍ଷେପ ଗ୍ରହଣ କରିବ।
ସୂଚନାଯୋଗ୍ୟ, ୟେଦୁରୁପ୍ପାଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ବୋମ୍ମାଇ ଜୁଲାଇ ୨୮ ରେ ଏହି ପଦବୀରେ ଗୋଟିଏ ବର୍ଷ ପୂରଣ କରିଥିଲେ।

Share