Categories: ବାଣିଜ୍ୟ

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୨୩।୧୦: ବନ୍ଧନ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି। ଏପରିକି ମୋଟ ଜମା ବର୍ତ୍ତମାନ ୧.୧୨ ଲକ୍ଷ କୋଟି ଟଙ୍କା ରହିଛି। ଚଳନ୍ତି (କରେଣ୍ଟ) ଓ ସଞ୍ଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୮.୫% ରହିଛି। ସେହିପରି ମୋଟ ଅଗ୍ରିମ ବର୍ତ୍ତମାନ ୧.୦୮ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ବଚ୍ଛତା ଅନୁପାତ (ସିଏଆର୍‌) ୧୯.୨% ରହିଛି, ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି, ଏପରିକି ବ୍ୟାଙ୍କର ବିବିଧୀକରଣ ଏଜେଣ୍ଡା ଅନୁସାରେ ବନ୍ଧନ ବ୍ୟାଙ୍କର ରିଟେଲ୍‌ ଋଣ ବୁକ୍‌ରେ ସୁସ୍ଥକର ୮୦% ବୃଦ୍ଧି ଘଟିଛି। ବ୍ୟାଙ୍କର ମୋଟ ଜମାରେ ରିଟେଲ୍‌ର ଭାଗ ବର୍ତ୍ତମାନ ୭୪% ରହିଛି। ଏହି ସମୟରେ ବ୍ୟାଙ୍କର ମୋଟ ବ୍ୟବସାୟ ୨.୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ବନ୍ଧନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି, ଦ୍ୱିତୀୟ ତ୍ରୈମାସିକର କାରବାର ବ୍ୟାଙ୍କ ପାଇଁ ବେଶ୍‌ ଉତ୍ସାହଜନକ ତ୍ରୈମାସିକ ହୋଇଛି। ଏପରିକି ବ୍ୟାଙ୍କର ବିବିଧୀକରଣ ଏଜେଣ୍ଡା ଅନୁସାରେ ବ୍ୟାଙ୍କ ତା’ର ରିଟେଲ୍‌ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି, ଗତ କିଛି ତ୍ରୈମାସିକରେ ଶୁଭାରମ୍ଭ କରାଯାଇଥିବା ନୂଆ କାରବାର କ୍ଷେତ୍ରକୁ ନେଇ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ଭଲ ରହିବ ବୋଲି ଆମର ବିଶ୍ୱାସ ରହିଛି।

Share