କଟକ ଅଫିସ,୯।୫: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ସୋମବାରଠୁ ଅନ୍ଲାଇନରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଫେସର ପ୍ରଶନଜିତ ମହାନ୍ତିଙ୍କ ଦ୍ୱାରା ଏହି ଅନ୍ଲାଇନ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ ଅନ୍ଲାଇନ ମାଧ୍ୟମରେ ଓପିଡି ଟିକେଟ୍ ରେଜିଷ୍ଟ୍ରେସନର ସୁବିଧା ପାଇପାରିବେ। ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରିପାରିବେ।
ତେବେ ପୋର୍ଟାଲରେ ପଞ୍ଜିକରଣ କରି ପ୍ରିଣ୍ଟ ଆଉଟ୍ ବାହାର କରି ନ ଥିଲେ ସେମାନେ କାଉଣ୍ଟରକୁ ଆସି ହାର୍ଡ କପି ନେଇ ପାରିବେ। ଏସ୍ସିବିରେ ଏବେ ମୋଟ ୨୦ଟି ଅଫ୍ଲାଇନ ଓପିଡ଼ି କାଉଣ୍ଟର ରହିଛି। ଏହି ଅନ୍ଲାଇନ ସେବା ଆରମ୍ଭ ହେବା ପରେ ଅଫ୍ଲାଇନ ଭିଡ଼ କମିବ ବୋଲି ଆଶା କରାଯାଉଛି।