‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’କୁ ବୁକର

ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍‌ର ପ୍ରାଇଜ୍‌ ପାଇଛି। ଲଣ୍ଡନରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଔପନ୍ୟାସିକା ଗୀତାଞ୍ଜଳି ଓ ଇଂଲିଶ୍‌ ଅନୁବାଦିକା ଡେଜି ରକ୍‌ଓ୍ବେଲ୍‌ ମିଳିତ ଭାବେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ଲାଭ କରିବାରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ହେଉଛି ପ୍ରଥମ ହିନ୍ଦୀ ଫିକ୍ସନ। ୧୯୫୭ରେ ଉତ୍ତର ପ୍ରଦେଶର ମୈନପୁରୀରେ ଜନ୍ମିତ ତଥା ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା କଥାକାର ଗୀତାଞ୍ଜଳି ଶ୍ରୀ ଅନେକ କ୍ଷୁଦ୍ରଗଳ୍ପ ଓ ୫ଟି ଉପନ୍ୟାସ ରଚନା କରିଛନ୍ତି। ୬୪ ବର୍ଷୀୟା ଗୀତାଞ୍ଜଳିଙ୍କ ବହୁ ପୁସ୍ତକ ଇଂଲିଶ୍‌, ଫରାସୀ, ଜର୍ମାନ, ସର୍ବିଆନ୍‌ ଓ କୋରିଆନ୍‌ ଭାଷାରେ ଅନୂଦିତ ହୋଇଛି। ତାଙ୍କ ଉପନ୍ୟାସ ‘ରେତ୍‌ କୀ ସମାଧି’ (୨୦୧୮)କୁ ଆମେରିକୀୟ ପେଣ୍ଟର ତଥା ଲେଖିକା ଡେଜି ରକ୍‌ଓ୍ବେଲ ଇଂଲିଶ୍‌ ଭାଷାରେ ଅନୁବାଦ କରିଛନ୍ତି। ଜଣେ ୮୦ ବର୍ଷୀୟା ମହିଳାଙ୍କ ସ୍ବାମୀ ଚାଲିଯିବା ପରେ ସେ ଗଭୀର ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି ଏବଂ ପରବର୍ତ୍ତୀ ସମୟରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ବୃଦ୍ଧାଙ୍କ ଜୀବନ ଓ ବିସ୍ମୟକର ଅତୀତକୁ ନେଇ ଏହି ପ୍ରେରଣାଦାୟକ ଉପନ୍ୟାସ ଗତିଶୀଳ ହୋଇଛି। ଗୀତାଞ୍ଜଳୀ ଶ୍ରୀ ଏବଂ ଡେଜି ରକ୍‌ଓ୍ବେଲ ମିଳିତ ଭାବେ ୨୦୨୨ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ଲାଭ କରିଛନ୍ତି। ପୁରସ୍କାର ରାଶି ବାବଦକୁ ୫୦,୦୦୦ ପାଉଣ୍ଡ (ପ୍ରାୟ ୪୮,୯୫,୮୫୭ ଟଙ୍କା) ଦିଆଯାଇଛି, ଯାହାକୁ ଉଭୟ ଲେଖିକା ଓ ଅନୁବାଦିକା ଦୁଇଭାଗ କରିବେ। ପୁରସ୍କାର ଗ୍ରହଣ ଅବସରରେ ଗୀତାଞ୍ଜଳି ଶ୍ରୀ କହିଛନ୍ତି, ବୁକର୍‌ ପୁରସ୍କାର ପାଇବେ ବୋଲି ସେ କେବେ ସ୍ବପ୍ନରେ ବି କଳ୍ପନା କରି ନ ଥିଲେ। ଏତେ ବଡ଼ ସ୍ବୀକୃତି ପାଇ ସେ ଉଲ୍ଲସିତ ଓ ସମ୍ମାନିତ। ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଅବସରରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁକର୍‌ ପୁରସ୍କାର ଦୌଡ଼ରେ ଆଉ ୫ଟି ଉପନ୍ୟାସ ଥିଲା। ସେଗୁଡ଼ିକ ହେଲା ବୋରା ଚୁଙ୍ଗ୍‌ଙ୍କ କ୍ରୁସେଡ୍‌ ବୁନି, ଜନ୍‌ ଫୋସେଙ୍କ ଏ ନ୍ୟୁ ନେମ୍‌: ସେପ୍ଟୋଲୋଜି ୬ଷ୍ଠ-୭ମ, ମିଏକୋ କାଓ୍ବାକାମିଙ୍କ ହେଭେନ୍‌, କ୍ଲାଉଡିଆ ପିନେରିଓଙ୍କ ଏଲେନା ନୋଜ୍‌ ଏବଂ ଓଲ୍‌ଗା ଟୋକାର୍ଜୁକ୍‌ଙ୍କ ପୁସ୍ତକ ଦି ବୁକ୍‌ ଅଫ୍‌ ଜାକୋବ୍‌।

Share