Categories: ଖେଳ

ସିରାଜଙ୍କୁ ଯୋଗାଯୋଗ କରିଥିଲେ ବୁକି

ନୂଆଦିଲ୍ଲୀ,୨୦ା୪(ପି.ଟି.): ପେସ୍‌ ବୋଲର ମହମ୍ମଦ ସିରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ(ଏସିୟୁ)ର ଦ୍ୱାରସ୍ଥ ହୋଇଥିଲେ ବୋଲି ଜଣାପଡିଛି। ଫେବୃୟାରୀ ମାସରେ ଅଷ୍ଟ୍ରେଲିଆ ଗସ୍ତର ଠିକ୍‌ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଦଳର ଭିତିରି ସୂଚନା ଦେବା ପାଇଁ ସମ୍ପର୍କ କରିଥିଲେ। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଖେଳୁଥିବା ସିରାଜ ତୁରନ୍ତ ଏହି ଘଟଣା ସମ୍ପର୍କରେ ଏସିୟୁକୁ ଅବଗତ କରିଥିଲେ। ସିରାଜଙ୍କୁ ମେସେଜ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ଜୁଆଡି । କ୍ରିକେଟ ବେଟିଂରେ ଅନେକ ପଇସା ହରାଇବା ପରେ ମହମ୍ମଦ ସିରାଜଙ୍କୁ ସେ ମେସେଜ କରିଥିବା ଜଣା ପଡିଛି। ଫେବୃୟାରୀରେ ଅଷ୍ଟ୍ରେଲିଆ ସରିଜ୍‌ ଖେଳାଯିବା ପୂର୍ବରୁ ଭାରତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍‌ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜକୁ ୨-୧ରେ ଓ ଦିନିକିଆ ସିରିଜକୁ ୩-୦ରେ ଜିତିଥିଲା ଭାରତ। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଏହା ସହିତ ଟି୨୦ ସିରିଜକୁ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ସିରାଜଙ୍କୁ ସମ୍ପର୍କ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଫେସନାଲ ବୁକି ନୁହନ୍ତି। ହାଇଦ୍ରାବାଦରେ ସେ ଜଣେ ବସ୍‌ ଡ୍ରାଇଭର ଭାବରେ କାମ କରୁଥିବା ବେଳେ ଭାରତ ଖେଳୁଥିବା ମ୍ୟାଚରେ ପଇସା ଲଗାଇ ପ୍ରବଳ କ୍ଷତି ସହିଥିଲେ। ସିରାଜଙ୍କୁ ହ୍ବାଟ୍ସଆପ୍‌ ଜରିଆରେ ବ୍ୟକ୍ତି ଜଣକ ସମ୍ପର୍କ କରିବାକୁ ପ୍ରୟାସ କରିଥିଲେ। ମେସେଜ୍‌ ମିଳିବା ପରେ ସିରାଜ ତୁରନ୍ତ ଅଭିଯୋଗ କରିଥିଲେ। ଆନ୍ଧ୍ର ପ୍ରଦେଶ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ୨୦୧୩ ଆଇପିଏଲ୍‌ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଏସ୍‌. ଶ୍ରୀସନ୍ଥ, ଅଙ୍କିତ ଚଭନ, ଅଜିତ ଚାଣ୍ଡିଲା ଓ ଚେନ୍ନାଇ ସୁପରକିଙ୍ଗ୍ସର ଟିମ୍‌ ମୁଖ୍ୟ ଗୁରୁନାଥ ମେୟିଆପ୍ପାନ ସ୍ପଟ୍‌ ଫିକ୍ସିଂରେ ଅନ୍ତର୍ଭୁକ୍ତ ଥିବା ଜଣାପଡିବା ପରେ ବିସିସିଆଇ ପକ୍ଷରୁ ଏହାର ଏସିୟୁ ୟୁନିଟକୁ ଅଧିକ ଶକ୍ତିଶାଳୀ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜିଙ୍କ ପାଇଁ ଜଣେ ଏସିୟୁ ଅଫିସିଆଲଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି। ହୋଟେଲରେ ଅବସ୍ଥାନ କରୁଥିବା ଟିମ୍‌ ସହିତ ଏହି ଅଫିସିଆଲ ରହିଥାନ୍ତି। ପୂର୍ବରୁ ବାଂଲାଦେଶ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହସନ ସମାନ କାରଣ ପାଇଁ ନିଲମ୍ବିତ ହୋଇଥିଲେ। ୨୦୨୧ ସିଜନରେ ଜଣେ ବୁକି ତାଙ୍କୁ ସମ୍ପର୍କ କରିଥିବା ବେଳେ ସେ ଏହି ତଥ୍ୟ ଲୁଚାଇଥିଲେ। ଏହା ସହିତ ଖେଳାଳିମାନଙ୍କ ପାଇଁ ମାଗଣା ଏସିୟୁ ଓ୍ବାର୍କଶପ୍‌ ମଧ୍ୟ ଆୟୋଜନ କରାଯାଉଛି।

Share