Categories: ବାଣିଜ୍ୟ

୨୩୦ ସ୍ପୋଶାଲ ଟ୍ରେନ୍‌ ପାଇଁ ତତ୍କାଳ ବୁକିଙ୍ଗ୍‌ ଆରମ୍ଭ

ନୂଆଦିଲ୍ଲୀ,୩୦।୬: କରୋନା ସଂକ୍ରମଣ ଜନିତ ସମସ୍ୟା କାରଣରୁ ଭାରତୀୟ ରେଲଓ୍ବେ ତା’ର ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ମାର୍ଚ୍ଚ ୨୫ରୁ ବନ୍ଦ ରଖିଛି। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ୨୩୦ଟି (୧୧୫ ଯୋଡା) ସ୍ପୋଶାଲ ଟ୍ରେନ ଚଳାଚଳ କରୁଛି। କେତେକ ସମସ୍ୟା କାରଣରୁ ଏହି ସ୍ପୋଶାଲ ଟ୍ରେନ ମଧ୍ୟ ଚଳାଚଳ ବନ୍ଦ ରହିଥିଲା। ପୁଣିଥରେ ଏହି ଟ୍ରେନ ଚଳାଚଳ କରିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଟ୍ରେନଗୁଡିକ ପାଇଁ ତତ୍କାଳ ବୁକିଂର ଆରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ଏହି ଟ୍ରେନ ଗୁଡିକ ଚଳାଚଳ କରିବ। ତତ୍କାଳ ଟିକେଟ କରିଥିବା ଲୋକମାନେ ହିଁ ଏହି ସେବା ପାଇପାରିବେ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯାତ୍ରୀମାନେ ଆଇଆରସିଟିସି ଓ୍ବେବସାଇଟରୁ ଟିକେଟ ବୁକିଂ କରିପାରିବେ। ଏସି କୋଚରେ ଯାତ୍ରା ଲାଗି ପୂର୍ବାହ୍ନ ୧୦ଘଟିକା ମଧ୍ୟରେ ଏବଂ ସ୍ଲିପର କୋଚ ପାଇଁ ୧୧ଘଟିକା ସୁଦ୍ଧା ଟିକେଟ ବୁକିଂ କରିବାକୁ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

Share