ନୂଆଦିଲ୍ଲୀ,୨୯ା୧: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀ ବିଶ୍ୱ ପୁସ୍ତକମେଳା-୨୦୨୪ ଉଦ୍ଘାଟନ କରିଛନ୍ତି । ଭାରତର ପ୍ରାଚୀନ ଗ୍ରନ୍ଥ ଏବଂ ପୁସ୍ତକଗୁଡ଼ିକ କେବେ ନିଜ ଚମକ ହରାଇ ନାହିଁ ବୋଲି ପ୍ରଧାନ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି । ଏହି ଅବସରରେ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡ଼୍ନେସ୍ : ମନ୍ କୀ ବାତ୍ ଅ୧୦୦”ର ଉନ୍ମୋଚନ କରିଛନ୍ତି ।
ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପଦ । କୌଣସି ଭାଷା ଛୋଟ କିମ୍ବା ବଡ଼ ନୁହେଁ । ପୁସ୍ତକ ସହିତ ମାନବ ଜାତିର ଅନାବିଳ ସୁସମ୍ପର୍କ ରହିଛି । ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦିଏ ବୋଲି ସେ କହିଛନ୍ତି । ୨୨ଟି ଭାଷାରେ ପୁସ୍ତକ ପ୍ରକାଶନ କରିବାରେ ସମ୍ଭବତଃ ଭାରତ ହେଉଛି ଏକମାତ୍ର ଦେଶ ବୋଲି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି ।