ଓମିକ୍ରନ୍‌ ବିରୋଧରେ କାମ ଦେଉନି ବୁଷ୍ଟର ଡୋଜ୍‌

ସିଙ୍ଗାପୁର,୧୦।୧୨: କରୋନାର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏବେ କରୋନାର ବୁଷ୍ଟର ଡୋଜ୍‌ ଟିକି ନେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହି ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୋଧରେ ସଫଳ ସାବ୍ୟସ୍ତ ହେଉନାହିଁ। ନିକଟରେ ସିଙ୍ଗାପୁରରେ ବୁଷ୍ଟର୍‌ ଡୋଜ୍‌ ନେଇଥିବା ଦୁଇ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବିମାନବନ୍ଦରରେ ପରୀକ୍ଷା ସମୟରେ ୨୪ ବର୍ଷୀୟା ଯୁବତୀଙ୍କ ପ୍ରାରମ୍ଭିକ ରିପୋର୍ଟ ଓମିକ୍ରନ ନିଶ୍ଚିତ କରିଛି। ଏଥିସହିତ, ୬ ଡିସେମ୍ବରରେ ଜର୍ମାନୀରୁ ଫେରିଥିବା ଜଣେ ଯାତ୍ରୀଙ୍କଠାରେ ଓମିକ୍ରନ ମଧ୍ୟ ଦେଖିବାକୁ ମିଳିଛି। ଏହି ଦୁଇଜଣ କୋଭିଡ -୧୯ ଟିକାର ବୁଷ୍ଟର ଡୋଜ୍‌ ନେଇଥିଲେ।
ସିଙ୍ଗାପୁରର ସୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ୍ର ସଂକ୍ରମଣ ଦେଖି ଦେଶରେ ଓମିକ୍ରନ୍‌ର ଅନ୍ୟ ମ୍ୟୁଟେସନ୍‌ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଓମିକ୍ରନର ଲକ୍ଷଣ ଦେଖାଯିବା ପରେ ଉଭୟ ସଂକ୍ରମିତ ଲୋକଙ୍କୁ ଜାତୀୟ ସଂକ୍ରାମକ ରୋଗ କେନ୍ଦ୍ରରେ ରଖାଯାଇଛି। ଏଥି ସହିତ, ତାଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ୧୦ ଦିନ ପାଇଁ ଅଲଗା ରଖାଯାଇଛି।
ବିଶ୍ୱର ସର୍ବୋତ୍ତମ ଟିକାକରଣ ଅଭିଯାନରେ ସିଙ୍ଗାପୁର ଭଲ ପ୍ରଦର୍ଶନ କରିଛି। ଏଠାରେ ୮୭ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି। ଏଥି ସହିତ, ପ୍ରାୟ ୨୯ ପ୍ରତିଶତ ଲୋକଙ୍କୁ ବୁଷ୍ଟର୍‌ ଡୋଜ ମଧ୍ୟ ଦିଆଯାଇଛି। ସରକାର ଖୁବ ଶୀଘ୍ର ପାଞ୍ଚରୁ ୧୧ ବର୍ଷର ପିଲାମାନଙ୍କ ପାଇଁ କରୋନାର ଟିକା ଆରମ୍ଭ କରିବାକୁ ଯାଉଛନ୍ତି।

Share