ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ଆରମ୍ଭ ହୋଇଛି। ଅନୁଗୋଳ ଜିଲାରେ ଏଥିପାଇଁ ମୋଟ୍‌ ୪୪ଟି କେନ୍ଦ୍ର କରାଯାଇଥିବା ବେଳେ ପ୍ରଥମ ଦିନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିବା ବହୁ ବରିଷ୍ଠ ନାଗରିକ ଡୋଜ୍‌ ପାଇ ନ ପାରି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋଟ୍‌ ୨ଶହ ଡୋଜ୍‌ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବା ବରିଷ୍ଠ ନାଗରିକମାନଙ୍କ ନିକଟକୁ ମୋବାଇଲ ମେସେଜ ପଠାଯାଇଥିଲା। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବାରୁ ବରିଷ୍ଠ ନାଗରିକମାନେ ଏଥିପାଇଁ ଲାଇନ୍‌ ଲଗାଇଥିଲେ। ହେଲେ ୧୦୧ ଜଣଙ୍କ ପରେ ଡୋଜ୍‌ ସରିଯାଇଥିବା ଜଣାପଡ଼ିବାରୁ ଅପେକ୍ଷାରତ ବରିଷ୍ଠ ନାଗରିକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡୋଜ୍‌ ପ୍ରଦାନରେ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ଦିଲୀପ ପଟ୍ଟନାୟକ କହିଛନ୍ତି, କେତେଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏଠାରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯାଇଛି। ବରିଷ୍ଠ ନାଗରିକଙ୍କ ଅସନ୍ତୋଷ ସମ୍ପର୍କରେ ଖବର ମିଳିଛି। ଆଗାମୀ ଦିନରେ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ଅପରପକ୍ଷରେ ପ୍ରଥମ ଦିନରେ ଜିଲାରେ ୧୧୨୬ଜଣଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଥିବା ବେଳେ ୧୫ରୁ ୧୮ ବର୍ଷର ୨୭୮୭ ଜଣ କିଶୋରୀକିଶୋର ଟିକା ନେଇଥିବା ସୂଚନା ମିଳିଛି।

Share