ଶୀଘ୍ର ମିଳିବ ବୁଷ୍ଟର ଡୋଜ୍‌, ସମୟ ସୀମା ୯ ରୁ ୬ ମାସକୁ କମିବ…

ନୂଆଦିଲ୍ଲୀ, ୨୮।୪ : ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର କୋଭିଡ ଟିକା ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିକାଦାନ ନେଇ ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଏନଟିଏଜିଆଇଙ୍କ ପକ୍ଷରୁ ଏହି ବ୍ୟବଧାନକୁ ହ୍ରାସ କରିବାକୁ ସୁପାରିଶ କରିବେ ବୋଲ କୁହାଯାଉଛି। ଏନେଇ ୨୯ ଏପ୍ରିଲରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ଆଇସିଏମଆର ଅନୁସନ୍ଧାନରେ ଏହା ଜଣାପଡିଛି ଯେ ପ୍ରାରମ୍ଭିକ ଟିକାକରଣରୁ ପ୍ରାୟ ୬ ମାସ ପରେ ଆଣ୍ଟିବଡି ସ୍ତର ହ୍ରାସ ପାଇବାରେ ଲାଗିଥାଏ। ଏପରିସ୍ଥଳେ ବୁଷ୍ଟର ଡୋଜ୍‌ ନେବା ଦ୍ୱାରା ପୁଣି ପ୍ରତିରୋଧକ ଶକ୍ତି ବଢ଼ିଯାଇଥାଏ।

ଅନୁସନ୍ଧାନକୁ ଭିତ୍ତିକରି ଟିକାକରଣର ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର୍‌ ଡୋଜ ମଧ୍ୟରେ ସମସ ସୀମା ୯ ମାସରୁ ୬ ମାସକୁ କମାଇବା ଲାଗି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦିଲ୍ଲୀର ଏଲଏନଜେପି ହସ୍ପିଟାଲର ଡ.ସୁରେଶ କୁମାର କହିଛନ୍ତି ଯେ କରୋନ ଟିକା ନେଇଥିବା ଲୋକେ ବୁଷ୍ଟର ଡୋଜ ନେବା ଜରୁରୀ। ଏହା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯାହା ଦ୍ୱାରା ଲୋକେ ନିଜ ପରିବାର ଏବଂ ସମାଜକୁ ଏହି ମହାମାରୀରୁ ରକ୍ଷା କରିପାରିବେ।

ଡ.ସୁରେଶ କହିଛନ୍ତି ଯେ, ଆମେ ଦେଖିଛୁ ଯେ ଦୁଇଥର କରୋନା ପରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକ ଟିକା ନେଇ ନାହାନ୍ତି। କେହି କେହି ଉଭୟ ଡୋଜ୍‌ ସମ୍ପୂର୍ଣ୍ଣ କରି ନାହାନ୍ତି। ତେଣୁ ତୃତୀୟ ଅର୍ଥାତ୍‌ ବୁଷ୍ଟର ଡୋଜ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Share