କୋଭାକ୍ସିନ୍‌ ନେଇଥିବା ଲୋକଙ୍କୁ ପ୍ରଥମେ ବୁଷ୍ଟର !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଚିନ୍ତା କରାଯାଉଛି। ଭାରତରେ, ଯେଉଁମାନେ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କୁ ପ୍ରଥମେ କୋଭିଡ -୧୯ ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ ବୋଲି କୁହାଯାଉଛି। ଟିକାକରଣ ଉପରେ ଦେଶର ବିଶେଷଜ୍ଞ ପ୍ୟାନେଲ ସୂତ୍ରରୁ ଏହି ସୂଚନା ମିଳିଛିି। ବିଶେଷଜ୍ଞମାନେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଯେଉଁମାନେ ସଂପୂର୍ଣ୍ଣ ନିଷ୍କ୍ରିୟ ଭାଇରସ ଭିତ୍ତିକ ଟିକା ନେଉଛନ୍ତି, ସେମାନେ ଓମିକ୍ରନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବୁଷ୍ଟର୍‌ ଡୋଜ ଗ୍ରହଣ କରିବା ଉଚିତ୍‌। ସେହିପରି କମ୍‌ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ କୁହାଯାଇଛି।

ଦେଶରେ ବୁଷ୍ଟର ଡୋଜ ପ୍ରଦାନ ନେଇ କୁହାଯାଉଥିବାବେଳେ ଭାରତର ଟିକାକରଣ ନୀତିକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହିତ ସମାନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ଦେଶର କୋଭିଡ ଟାସ୍କଫୋର୍ସର ମୁଖ୍ୟ ଭି.କେ ପାଲ ଗତ ସପ୍ତାହରେ ଘୋଷଣା କରିଥିଲେ। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଷ୍ଟ୍ରାଟେଜିକ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେଶନ କହିଛି ଯେ ଇମ୍ୟୁନୋ-ସପ୍ରେସେଣ୍ଟ ବ୍ୟକ୍ତି ଯେପରିକି ଡାଏଲିସିସ କରୁଥିବା ବ୍ୟକ୍ତି କିମ୍ବା ନିଷ୍କ୍ରିୟ କୋଭିଡ୍‌-୧୯ ଟିକା ଗ୍ରହଣ କରିଥିବା ଲୋକଙ୍କୁ ବୁଷ୍ଟର୍‌ ଡୋଜ ଦିଆଯିବା ଆବଶ୍ୟକ। ଟିକାକରଣ ଉପରେବିଶ୍ୱସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସରଣ କରିବା ଉପଯୋଗୀ ନୀତି ପ୍ରସ୍ତୁତ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୩୫ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୧୦.୭ ପ୍ରତିଶତ ଡୋଜ କୋଭାକ୍ସିନ ରହିଛି। ସେରମ ଇନଷ୍ଟିଚୂ୍ୟଟ ଅଫ ଇଣ୍ଡିଆର ଆଡେନୋଭାଇରସ ପ୍ଲାଟଫର୍ମ ଉପରେ ଆଧାରିତ କୋଭିଶିଲ୍ଡ ଟିକା ଟିକାକରଣ ଅଭିଯାନର ଶୀର୍ଷରେ ରହିଛି। ଅଧିକ ଲୋକ କୋଭିଶିଲ୍ଡ ଟିକା ନେଇଛନ୍ତି।

ଗତ ସପ୍ତାହରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସଂସଦୀୟ ସ୍ଥାୟୀ କମିଟିକୁ ସୂଚନା ଦେଇଥିଲେ ଯେ ଆବଶ୍ୟକ ହେଲେ ତୃତୀୟ ଡୋଜ୍‌ ଦିଆଯାଇପାରେ। ମାତ୍ର ଦ୍ୱିତୀୟ ଡୋଜ୍‌ ନେବାର ନଅ ମାସ ପରେ ଏହି ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ଆବଶ୍ୟକ।

ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଅନେକ ଦେଶର ତଥ୍ୟ ଦର୍ଶାଉଛି ଯେ ସେଲୁଲାର ଏବଂ ମ୍ୟୁକୋସଲ ଇମ୍ୟୁନିଟି ଅଧିକ ସମୟ ଶରୀରରେ ରହିପାରୁଛି।

Share