Categories: ଫୁରସତ

ରାସ୍ତାରେ ‘ମଦ ଯୋଗ’

କୋପେନହାଗେନ: ଯୋଗ କରିବା ଦେହ ପାଇଁ ହିତକାରକ। ବର୍ତ୍ତମାନ ସମୟରେ ଲୋକେ ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରୁଛନ୍ତି। ଏହା କେବଳ ଶରୀର ପାଇଁ ନୁହେଁ, ସ୍ନାୟୁ ଓ ମନକୁ ଶାନ୍ତ କରେ। ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ। ତେବେ ଡେନ୍‌ମାର୍କରେ ଅଜବ ପ୍ରକାର ଯୋଗ ଦିବସ ପାଳନ କରାଯାଏ। ଏହାକୁ ପାଳନ କରିବାକୁ ଲୋକେ ବହୁତ ଉତ୍ସାହର ସହ ଏକାଠି ହୋଇଥାନ୍ତି। ରିପୋର୍ଟ ମୁତାବକ, ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେଥିରେ କିଛି ଲୋକ ଡେନ୍‌ମାର୍କର ରାଜଧାନୀ କୋପେନହାଗେନ୍‌ର ରାସ୍ତା କଡ଼ରେ ଯୋଗ କରୁଥିବା ନଜରକୁ ଆସିଛନ୍ତି। ହେଲେ ଏହି ଯୋଗ କିଛି ଅଲଗା ପ୍ରକାରର। ଯାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ। ରାସ୍ତାରେ ଲୋକ ମଦ ପିଉଥିବା ଦେଖିବାକୁ ମିଳିଛି। ଏହାକୁ ମଦ ଯୋଗ ବୋଲି କୁହାଯାଉଛି। ଏହି ଯୋଗରେ ଲୋକେ ଏକା ସାଙ୍ଗରେ ମଦ ପିଉଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ତ କୁହାଯାଇପାରିବନି। ହେଲେ ଏପରି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପ୍ସନରେ ଲେଖାହୋଇଛି, କୋପେନହାଗେନ୍‌ ରାସ୍ତାରେ ପାଖାପାଖି ୧୦୦ ଲୋକ ଜମା ହୋଇଥିଲେ। ଏହା ମଧ୍ୟରେ ସେମାନେ ଥଣ୍ଡା ମଦ ପିଇବା ସହ ଯୋଗ ମଧ୍ୟ କଲେ। ଏଠାରେ ମଦ ଯୋଗ ପାଖାପାଖି ୪ ବର୍ଷ ହେବ ଚାଲିଆସୁଛି। ଏପରି ଯୋଗ କରୁଥିବା ଲୋକଙ୍କ ମଧ୍ୟରେ ଏହା ବହୁତ ପପୁଲାର ହୋଇଗଲାଣି। ଜଣେ ଯୋଗ ଟ୍ରେନର କହିଛନ୍ତି, ଲୋକେ ମଦ କେନ ଧରି ଯୋଗ କରିଥାନ୍ତି। ଏହି ଯୋଗ ଅନ୍ୟ ଯୋଗ ଭଳି। କେବଳ ଲୋକଙ୍କ ମଜା ପାଇଁ ମଦ କେନର ବ୍ୟବହାର କରାଯାଏ। ବହୁତ ଲୋକ ଏହାକୁ ପସନ୍ଦ କରିବା ସହିତ ଡେନ୍‌ମାର୍କ ଯିବାକୁ ପଡିବ ବୋଲି କହିଛନ୍ତି। ଅନ୍ୟ ଜଣେ ଏହି ଯୋଗ ଦ୍ୱାରା ଆମ ପରମ୍ପରାର ମଜା ଉଡାଯାଉଥିବା କହିଛନ୍ତି।

Share