Categories: ଖେଳ

ବୋପାନ୍ନା ସବୁଠାରୁ ବୟସ୍କ ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୨୦ା୩ (ପି.ଟି.): ଭାରତର ରୋହନ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଏଟିପି ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇଛନ୍ତି। ସେ ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମ୍ୟାଟ ଇବିଡେନ୍‌ ଏଠାରେ ଚାଲିଥିବା ବିଏନ୍‌ପି ପାରିବାସ ଓପନ ପୁରୁଷ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ୪୩ ବର୍ଷୀୟ ବୋପାନ୍ନା ଓ ଇବିଡେନ୍‌ (୩୫ ବର୍ଷ) ଫାଇନାଲରେ ଟପ୍‌ ସିଡ୍‌ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଓ ବ୍ରିଟେନର ନିଲ୍‌ ସ୍କୁପ୍‌ସ୍କିଙ୍କୁ ୬-୩, ୨-୬, ୧୦-୮ରେ ହରାଇ ଦେଇଛନ୍ତି। ବୋପାନ୍ନାଙ୍କର ଏହାଥିଲା ୧୦ମ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲ। ଏହି କ୍ରମରେ ସେ କାନାଡାର ଡାନିଲ ନେଷ୍ଟରଙ୍କ ରେକର୍ଡ ଭଙ୍ଗ କରିଦେଇଛନ୍ତି।

ନେଷ୍ଟର ୨୦୧୫ରେ ସିନ୍‌ସିନାଟି ମାଷ୍ଟର୍ସରେ ସବୁଠାରୁ ବୟସ୍କ ଖେଳାଳିଭାବେ ଚାମ୍ପିୟନ ହୋଇଥିଲେ। ସେତେବେଳେ ତାଙ୍କ ବୟସ ୪୨ବର୍ଷ ଥିଲା। ଏଠାରେ ବୋପାନ୍ନା ୫ମ ମାଷ୍ଟର୍ସ ୧୦୦୦ ଡବଲ୍ସ ଟାଇଟଲ ଜିତିଛନ୍ତି। ୨୦୧୭ରେ ମଣ୍ଟେ କାର୍ଲୋପରେ ଏହା ପ୍ରଥମ। ଇଣ୍ଡୋ-ଅଷ୍ଟ୍ରେଲିଆନ ଯୋଡ଼ିଙ୍କ ବର୍ଷରେ ଏହା ହେଉଛି ତୃତୀୟ ଫାଇନାଲ। ବୋପାନ୍ନାଙ୍କ ଟୁର୍‌ ଲେଭଲ ଟ୍ରଫି ସଂଖ୍ୟା ବର୍ତ୍ତମାନ ୨୪ରେ ପହଞ୍ଚତ୍ଛି। ଇଣ୍ଡୋ-ଅଷ୍ଟ୍ରେଲିଆନ ଯୋଡ଼ି ଏଠାରେ ସେମିଫାଇନାଲରେ ଗତଥର ଚାମ୍ପିୟନ ଜନ୍‌ ଇଜ୍‌ନର ଓ ଜ୍ୟାକ୍‌ ସକ୍‌ଙ୍କୁ ହରାଇ ଦେଇଥିଲେ।

କ୍ୱାର୍ଟର ଫାଇନାଲରେ ସେମାନେ କାନାଡାର ସିଙ୍ଗଲ୍ସ ଷ୍ଟାର ଖେଳାଳି ଫେଲିକ୍ସ ଅଗର-ଅଲିଆସିମ୍‌ ଓ ଡେନିସ ଶାଫୋଭାଲୋଭଙ୍କୁ ପରାସ୍ତ କରିଥିଲେ। ଓପନିଂ ମ୍ୟାଚରେ ଏହି ଯୋଡ଼ି ରାଫେଲ ମାଟୋସ ଓ ଡେଭିଡ୍‌ ଭେଗା ହର୍ନାଣ୍ଡେଜଙ୍କୁ ହରାଇ ଦେଇଥିଲେ। ବିଶ୍ୱର ପୂର୍ବତନ ନମ୍ବର ୩ ବୋପାନ୍ନା ଏଟିପି ଲାଇଭ୍‌ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ବର୍ତ୍ତମାନ ୪ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି।

 

Share