Categories: ଖେଳ

ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ କ୍ରିକେଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ଆଡିଲେଡରେ ଦିବାରାତ୍ର ବିଶିଷ୍ଟ ହେବ। ଏହି ସିରିଜ ଦୁଇ ଦେଶର କିମ୍ବଦନ୍ତୀ ଖେଳାଳି ଅଷ୍ଟ୍ରେଲିଆର ଆଲାନ ବର୍ଡର ଓ ଭାରତର ସୁନୀଲ ଗାଭାସ୍କରଙ୍କ ନାମରେ ନାମିତ। ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପୁରୀ କୁମ୍ଭାରପଡ଼ାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ୧୦୦ ପ୍ୟାକେଟ ଦିଆସିଲି କାଠିକୁ ନେଇ ବର୍ଡର-ଗାଭାସ୍କର ଟ୍ରଫିର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାର ଲମ୍ବ ୨୩ ଇଞ୍ଚ ଏବଂ ଚଉଡ଼ା ୯ ଇଞ୍ଚ। ”ପାଖାପାଖି ୩୫୦୦ ଦିଆସିଲି କାଠିକୁ ନେଇ ଏହି ଟ୍ରଫି ପ୍ରତିକୃତି ପ୍ରସ୍ତୁତ ହୋଇଛି। ଏଥିପାଇଁ ୬ ଦିନ ସମୟ ଲାଗିଛି“ ବୋଲି ସମ୍ପ୍ରତି ଯୁକ୍ତ ୩ରେ ଅଧ୍ୟୟନରତ ୧୭ ବର୍ଷୀୟ ଶାଶ୍ୱତ ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ଶାଶ୍ୱତ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରଶ୍ମି ଓ ସୁଦର୍ଶନ ସାହୁଙ୍କ ପୁଅ ଶାଶ୍ୱତ ପୂର୍ବରୁ ୭,୮୮୧ ଦିଆସିଲି କାଠି ଓ ଅଠା ବ୍ୟବହାର କରି ୧୭ ଇଞ୍ଚ ଉଚ୍ଚତା ଓ ୧୫ ଇଞ୍ଚ ଚଉଡ଼ା ବିଶିଷ୍ଟ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟିଥିଲେ। ଏଥିପାଇଁ ତାଙ୍କୁ ୨୧ ଦିନ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

Share