Categories: ଖେଳ

୯ ଫେବୃୟାରୀରୁ ବର୍ଡର-ଗାଭାସ୍କର ଟ୍ରଫି: ୨୬ ବର୍ଷ ତଳେ ହୋଇଥିଲା ଆରମ୍ଭ, ଅଧିକ ବିଜୟ ଭାରତ ଖାତାରେ…

କୋଲକାତା,୪।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି ଭାବେ ନାମିତ କରାଯାଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ଏହି ଟ୍ରଫି ଅଧୀନରେ ଅନୁଷ୍ଠିତ ହେଉଛି।

ଯେତେବେଳେ ଅକ୍ଟୋବର ୧୯୯୬ ରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଥିଲା, ସେତେବେଳେ କେବଳ ଗୋଟିଏ ଟେଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆର ଦଳ ଭାରତ ଗସ୍ତରେ ଆସିଥିଲା ଏବଂ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସିରିଜ ଆରମ୍ଭ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଫିରେ କେବଳ ଭାରତ ପ୍ରାଧାନ୍ୟ ବିସ୍ତାର କରିଆସୁଛି।

ଗତ ୨୬ ବର୍ଷ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୧୫ ଥର ଅନୁଷ୍ଠିତ ହୋଇଛି ଯେଉଁଥିରେ ଭାରତ ୯ ଥର ଜିତିଥିବାବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ୫ ଥର ଜିତିଛି। ଥରେ ଏହି ଟ୍ରଫି ମଧ୍ୟ ଡ୍ର ହୋଇଛି। ଏହି ଅବଧିରେ ମୋଟ ୫୨ ଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଭାରତ ୨୨ ଟି ମ୍ୟାଚ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୯ ଟି ମ୍ୟାଚ ଜିତିଥିଲା । ଦୁଇ ଦଳ ମଧ୍ୟରେ ୧୧ ଟି ଡ୍ର ମଧ୍ୟ ହୋଇଛି।

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ନଭେମ୍ବର ୧୯୪୭ ରୁ ଜାନୁୟାରୀ ୧୯୯୨ ମଧ୍ୟରେ ପ୍ରାୟ ୪୫ ବର୍ଷରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୨ ଟି ଟେଷ୍ଟ ସିରିଜ ଖେଳାଯାଇଥିଲା। ସେଥିମଧ୍ୟରୁ ୭ ସିରିଜ ଅଷ୍ଟ୍ରେଲିଆ ଜିତିଥିବାବେଳେ ଭାରତୀୟ ଦଳ କେବଳ ଥରେ ସିରିଜ ଜିତିଥିଲା।
୪ ସିରିଜ ଡ୍ର ରହିଥିଲା। ଅର୍ଥାତ ଅଷ୍ଟ୍ରେଲିଆର ଏକପାଖିଆ ପ୍ରାଧାନ୍ୟ ରହିଥିଲା। ଏହି ଅବଧିରେ ଅନୁଷ୍ଠିତ ମୋଟ ୫୦ ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୨୪ ଟି ମ୍ୟାଚ ଜିତିଥିଲା ଏବଂ ଭାରତ ମାତ୍ର ୮ ଟି ଜିତିଥିଲା। ୧୭ ଟି ମ୍ୟାଚ ଡ୍ର ରହିଥିଲା ଏବଂ ଗୋଟିଏ ମ୍ୟାଚ ଟାଇ ହୋଇଥିଲା।

Share