Advertisement

ସୋଲାର ପ୍ରକଳ୍ପରୁ ଉପକୃତ ହେଉନାହାନ୍ତି ସୀମାନ୍ତ ଗ୍ରାମବାସୀ

ପଟ୍ଟାଙ୍ଗି,୧୬ା୬(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଳକରେ ପ୍ରଶାସନର ସୋଲାର ପ୍ରକଳ୍ପ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଏପରି ଦେଖିବାକୁ ମିଳିଛି ବ୍ଲକର ପେଟୁରୁ ପଞ୍ଚାୟତର ବନ୍ଧାଗୁଡା ଗ୍ରାମରେ। ବନ୍ଧଗୁଡା ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରନ୍ତି । ଗ୍ରାମବାସୀଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ମାତ୍ର ନଳକୂପ। ପାନୀୟ ଜଳ ପାଇଁ ୮ମାସ ତଳେ ନିର୍ମାଣ ହୋଇଥିବା ସୋଲାରଚାଳିତ ଜଳପ୍ରକଳ୍ପକୁ ଉକ୍ତ ନଳକୂପ ସହ ସଂଯୋଗ କରାଯାଇ ଗ୍ରାମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଏବଂ ନିମ୍ନମାନର ମୋଟର ଲାଗିଥିବାରୁ ଗୋଟାଏ ମାସ ପରେ ନଳକୂପରେ ଲାଗିଥିବା ମୋଟର ଖରାପ ହୋଇ ପାଣି ବନ୍ଦ ହୋଇଯାଇଥିଲା। ଏନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବସୀ ଅଭିଯୋଗ କରିଛନ୍ତି ।
ପୂର୍ବରୁ ପାନୀୟ ଜଳ ଅଭାବ ଦୂର ପାଇଁ ଏକ ନୂତନ ନଳକୂପ ଖନନ ଲାଗି ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ନୂତନ ନଳକୂପ ଖନନ ବଦଳରେ ପୁରୁଣା ନଳକୂପକୁ ମରାମତି କରି ଚୁପ୍‌ ରହିଥିଲା। ବର୍ତ୍ତମାନ ୨ମାସରୁ ଅଧିକ ହେଲାଣି ସୋଲାର ଚାଳିତ ପ୍ରକଳ୍ପ ଚାଲୁନି କି ନଳକୂପରୁ ମଧ୍ୟ ଗ୍ରାମବାସୀଙ୍କୁ ପାଣି ମିଳୁନି। ଏପରି ସ୍ଥଳେ ଗ୍ରାମବାସୀ ଗ୍ରାମଠାରୁ ଦେଢ଼ କି.ମି. ଦୂରରେ ଥିବା ଝରଣାରୁ ପାନୀୟ ଜଳ ସଂଗ୍ରହକରି ଚଳୁଛନ୍ତି। ଏହି ଝରଣା ଜଳ ଗୋଳିଆ ହୋଇଥିଲେ ମଧ୍ୟ କିଛି ବିକଳ୍ପ ନ ଥିବାରୁ ଆମେ ବ୍ୟବହର କରିବାକୁ ବାଧ୍ୟ ହେଉଛୁ। ସେହି ପାଣି ବ୍ୟବହାରକରି ଆମେ ରୋଗାକ୍ରାନ୍ତ ହୋଇପଡୁଥିବା ଗ୍ରାମର ଜାନି ରାମ, ଗୁଲେଲ ବଇ ତାମାୟା, ଜାନି ଲାଚୁ, ଜାନି ରାମାୟା ପ୍ରମୁଖ କହିଛନ୍ତି। ଏହି ଗ୍ରାମଗୁଡିକୁ ନେଇ ଗତ ପଞ୍ଚାୟତ ନିର୍ବାଚନ ବେଳେ ଲୋକଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ବନ୍ଧାଗୁଡ଼ା, ଡୁମୁରିଗୁଡା ଓ ଇପାଗୁଡ଼ା ଗ୍ରାମକୁ ନିଜ ଆଡକୁ ନେବାକୁ ଉଦ୍ୟମ କରି ଉପରୋକ୍ତ ଗ୍ରାମଗୁଡିକରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀ ମଧ୍ୟ ଆନ୍ଧ୍ରର ପେନ୍‌ସନ, ସ୍ବାସ୍ଥ୍ୟସେବା, ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ସେବା, ରାସ୍ତାଘାଟ ଆଦି ଦ୍ୱାରା ପ୍ରଲୋଭିତ ହୋଇଥିଲେ। ଓଡ଼ିିଶାର ଏହି ଗ୍ରାମଗୁଡିକୁ ପ୍ରଶାସନ ଅଣଦେଖା ନ କରିବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel