ପ୍ରଧାନମନ୍ତ୍ରୀ ରେସ୍‌ରୁ ନିଜ ଦୂରେଇ ରଖିଲେ ଜନସନ, ସୁନକ ବିଜୟର ନିକଟତର

ଲଣ୍ଡନ,୨୩।୧୦: ବ୍ରିଟେନରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ରାସ୍ତା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। ବ୍ରିଟେନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦବୀରୁ ନିଜକୁ ଦୂରେଇ ରଖିଛନ୍ତି। ତାଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଭାରତୀୟ ମୂଳ ଋଷି ସୁନକ ବିଜୟର ନିକଟତର ହୋଇଛନ୍ତି।
ସମର୍ଥନ ଦାବି କରିବା ସତ୍ତ୍ୱେ ବୋରିସ ଜନସନ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ଦୌଡ଼ରୁ ନିଜକୁ ବାଦ୍‌ ଦେଇଛନ୍ତି। ଜନସନ ତାଙ୍କ ନିଷ୍ପତ୍ତି ବିଷୟରେ କହିଛନ୍ତି ଯେ, ଏହା କରିବା ଠିକ ହେବ ନାହିଁ କାରଣ ସଂସଦରେ ନିଜ ଦଳ ଯଦି ଏକଜୁଟ ନ ହେବ ତେବେ ଆପଣ ପ୍ରଭାବଶାଳୀ ଭାବରେ ଶାସନ କରିପାରିବେ ନାହିଁ।
ସୂଚନାଯୋଗ୍ୟ, ଲିଜ ଟ୍ରସ ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବ୍ରିଟେନରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇଛି। ଏବେ ଦେଶକୁ ପୁଣିଥରେ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅନେକ ନାମ ଅଛି, କିନ୍ତୁ ଦୁଇଟି ନାମ ଭାରତୀୟ ମୂଳ ଋଷି ସୁନକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଚାଲିଥିଲା। ବର୍ତ୍ତମାନ ବୋରିସ ଜନସନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛନ୍ତି।

Share