ଲଣ୍ଡନ,୭ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାଲାଗି ପ୍ରସ୍ତୁତ ହୋଇଗଲେଣି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ହେଲେ ସେ ଯେପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି ସେପର୍ଯ୍ୟନ୍ତ କେହି ନୂଆ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ଆଲୋଚନା ହେଉଛି । ଏହାରି ଭିତରେ ତାଙ୍କ ସେକ୍ରେଟାରୀ ସିମନ ହର୍ଟ ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।
ଜନସନଙ୍କ କ୍ୟାବିନେଟର ମନ୍ତ୍ରୀମାନେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଜନସନଙ୍କ ଉପରେ ଗାଦି ଛାଡିବାକୁ ନେଇ ଚାପ ବଢିଯାଇଛି । ଗତ ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେତେବେଳେ ବୋରିଶ ଜନସନଙ୍କ ପଦ ଉପରେ ବିପଦ ଆସିଛି । ଏଥର ସେମିତି କିଛି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଯେଉଁମାନେ ଜନସନଙ୍କ କଟ୍ଟର ସମର୍ଥକ ଥିଲେ । ଗତଥର ଋଷି ସୁନକ ଓ ସାଜିଦ ଜାଭେଦ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ହେଲେ ସେମାନେ ବି ଜନସନଙ୍କ ହାତ ଛାଡି ଦେଇଛନ୍ତି ।