ସଂସଦ ସଦସ୍ୟତାରୁ ଇସ୍ତଫା ଦେଲେ ବୋରିଶ ଜନସନ

ଲଣ୍ଡନ,୧୦।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପାର୍ଟିଗେଟ ମାମଲାକୁ ନେଇ ସଂସଦୀୟ ସମିତିର ଯାଞ୍ଚ ରିପୋର୍ଟ ଆସିବା ପରେ ସଂସଦର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି। ସଂସଦୀୟ ସମିତି ତା’ର ଯାଞ୍ଚରେ ପ୍ରଧାନମନ୍ତ୍ରୀ ଥିବା ବେଳେ ବୋରିଶ ଜନସନ ଲକଡାଉନ ନିୟମ ଉଲ୍ଲଂଘନ କରି ପାର୍ଟି କରିଥିବାରୁ ଓ ସଂସଦକୁ ବିଭ୍ରାନ୍ତ କରିଥିବାରୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରାଯାଇଥିଲା।

୫୮ ବର୍ଷିୟ ଜନସନ ଲକଡାଉନ ନିୟମ ଉଲ୍ଲଂଘନ କରି କୋଭିଡ ମହାମାରୀ ସମୟରେ ଡାଉନ ଷ୍ଟ୍ରିଟରେ ପାର୍ଟି କରିବା ନେଇ ହାଉସ ଅଫ କମନ୍ସ (ବ୍ରିଟିଶ ସଂସଦ) କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ଉପରେ ସଂସଦୀୟ କମିଟି ଯାଞ୍ଚ କରିଥିଲା। ଅଧିକାର କମିଟି ପକ୍ଷରୁ ଏକ ଗୁପ୍ତ ଚିଠି ପାଇବା ପରେ ଜନସନ ଶୁକ୍ରବାର ଦିନ ଇସ୍ତଫା ଘୋଷଣା କରିଛନ୍ତି। ଜନସନ ତାଙ୍କୁ ସଂସଦରୁ ବହିଷ୍କାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି ଯେ କମିଟି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଉପସ୍ଥାପନ କରି ନାହିଁ ଯାହା ମୁଁ ଉଦ୍ଦେଶ୍ୟମୂଳକ କିମ୍ବା ବେପରୁଆ ଭାବରେ ସଂସଦକୁ ବିଭ୍ରାନ୍ତ କରିଛି।

Share