ବୋରିସ୍‌ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି

ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ‘ଡେଲି ମେଲ୍‌’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍‌ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଅଗ୍ରଣୀ ବ୍ରିଟିଶ ଖବରକାଗଜ ପାଇଁ ଲେଖୁଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଏହି ପେସାରୁ ବିପୁଳ ଅର୍ଥ ରୋଜଗାର କରୁଥିଲେ। ଏକ ଉଦ୍ଧୃତାଂଶକୁ ନେଇ ତାଙ୍କୁ ଟାଇମ୍ସ ନ୍ୟୁଜ୍‌ପେପର ବହିଷ୍କାର କରିଥିଲା। ୧୯୮୯ରେ ବୋରିସ ବ୍ରସେଲ୍ସରୁ ରିପୋଟିଂ କରୁଥିଲେ। ପରେ ସେ ଡେଲି ଟେଲିଗ୍ରାଫର ରାଜନୀତି ସ୍ତମ୍ଭକାର ହୋଇଥିଲେ। ସେତେବେଳେ ସେ ସାପ୍ତାହିକ ସ୍ତମ୍ଭ ପାଇଁ ୨,୭୫,୦୦୦ ପାଉଣ୍ଡ ବେତନ ପାଉଥିଲେ। ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ସେ ‘ସ୍ପେକ୍ଟାଟର’ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କୋଭିଡ୍‌-୧୯ ଲକ୍‌ଡାଉନ୍‌ ପାର୍ଟିଗେଟ୍‌ ମାମଲାରେ ପାର୍ଲାମେଣ୍ଟକୁ ଜାଣିଶୁଣି ଭୁଲ୍‌ ତଥ୍ୟ ଦେଇଥିବା ଅଭିଯୋଗର ତଦନ୍ତରୁ ୫୮ ବର୍ଷୀୟ ବୋରିସ ଦୋଷୀ ବୋଲି ଜଣାପଡ଼ିବା ପୂର୍ବରୁ ସେ ଗତ ସପ୍ତାହରେ ଏମ୍‌ପି ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ପ୍ରତି ଶନିବାର ଡେଲି ମେଲ୍‌ ପାଇଁ ସ୍ତମ୍ଭ ଲେଖିବେ ବୋଲି ଉକ୍ତ ଖବରକାଗଜ ପକ୍ଷରୁ କୁହାଯାଇଛି। ଗତବର୍ଷ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ବକ୍ତୃତା କାର୍ଯ୍ୟକ୍ରମରୁ ବହୁ ନିୟୁତ ପାଉଣ୍ଡ ଆୟ କରୁଛନ୍ତି। ଖବରକାଗଜରେ ତାଙ୍କ ନିଯୁକ୍ତି ସମ୍ପର୍କିତ ଘୋଷଣା ପ୍ରକାଶ ପାଇବା ପରେ ଏକ ସରକାରୀ ଓ୍ବାଚ୍‌ଡଗ୍‌ ଏହାର ସମାଲୋଚନା କରିଛି। ପାର୍ଲାମେଣ୍ଟ କମିଟିରୁ ବିଭିନ୍ନ ପ୍ରସଙ୍ଗରେ ରାୟ ପାଇବାର ଦିନକ ପରେ ବୋରିସ୍‌ଙ୍କୁ ନୂତନ ନିଯୁକ୍ତି ମିଳିଛି। ତାଙ୍କ ବିବାଦୀୟ ପାର୍ଟିଗେଟ୍‌କୁ ନେଇ ତଦନ୍ତ ଏବେ ବି ଜାରି ରହିଛି।

Share