ଅଷ୍ଟମ ଥର ବାପା ହେବେ ବୋରିସ୍‌

ଲଣ୍ଡନ,୨୧।୫: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌(୫୮) ଅଷ୍ଟମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବୋରିସ୍‌ଙ୍କ ସ୍ତ୍ରୀ କ୍ୟାରି ଜନ୍‌ସନ୍‌ ୮ ମାସ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି କହିଛନ୍ତି। କିଛି ସପ୍ତାହ ମଧ୍ୟରେ ସେ ନିଜ ତୃତୀୟ ସନ୍ତାନଙ୍କୁ ଜନ୍ମ ଦେବେ। ପୂର୍ବରୁ ବୋରିସ୍‌ ଓ କ୍ୟାରିଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେମାନେ ହେଲେ ଓ୍ବିଲ୍‌ଫ୍ରେଡ୍‌ ଓ ରୋମି।
୯ ବେଡ୍‌ରୁମ୍‌ ବିଶିଷ୍ଟ ନୂଆ ଘରକୁ ଯିବା ପରେ କ୍ୟାରି ଏହି ଖୁସି ଖବର ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି। ବୋରିସ୍‌ ଏହି ଘରକୁ ୪ ମିଲିୟନ୍‌ ପାଉଣ୍ଡରେ କିଣିଛନ୍ତି। ପୂର୍ବରୁ ବୋରିସ୍‌, କ୍ୟାରି ଓ ପିଲାମାନେ ଲଣ୍ଡନ ଟାଉନ୍‌ହାଉସ୍‌ ଏବଂ କୋଟ୍ସଓ୍ବାଲର୍‌ଡସ୍‌ସ୍ଥିତ ଘରେ ରହୁଥିଲେ।
ହେବାକୁ ଥିବା ଶିଶୁକୁ ମିଶାଇ ବୋରିସ୍‌ଙ୍କର ୮ ସନ୍ତାନ। ପୂର୍ବତନ ସ୍ତ୍ରୀ ମାରିନା ହ୍ବିଲରଙ୍କର ୪ଟି ସନ୍ତାନ ଅଛନ୍ତି। ଏଥିସହ ଆର୍ଟ କନ୍‌ସଲଟାଣ୍ଟ ହେଲେନ ମାକ୍‌ ଇଣ୍ଟିରେଙ୍କ ସହ ବୋରିସ୍‌ଙ୍କ ଅନୈତିକ ସମ୍ପର୍କ ଥିବାବେଳେ ତାଙ୍କ ଔରସରୁ ୨୦୦୯ରେ ହେଲେନ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରଧାନମନ୍ତ୍ରୀ ପଦ ହରାଇବା ପରେ ବୋରିସ୍‌ ଏବେ ବିଶ୍ୱ ଭ୍ରମଣ କରିବା ସହ ଭାଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ବୋରିସ୍‌ ଏସିଆନ୍‌ ଲିଡରଶିପ୍‌ କନ୍‌ଫରେନ୍ସରେ ଯୋଗ ଦେଇଥିଲେ।

Share