Categories: ଜାତୀୟ

ସ୍ବାଧୀନତା ପୂର୍ବରୁ ଜନ୍ମ, ପ୍ରଥମ ଥର ଭୋଟ ଦେବେ

ରାୟପୁର,୨ା୧୦: ଗଣତନ୍ତ୍ରକୁ ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ରୂପେ ସ୍ବୀକୃତି ମିଳିଥିଲେ ମଧ୍ୟ ମତଦାନ ଏକ ମୌଳିକ ଅଧିକାର ନୁହେଁ। ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିଲେ ବି କେବେ ଭୋଟ ଦେଇନାହାନ୍ତି। ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେମାନେ ପ୍ରଥମ ଥର ମତଦାନ କରିବାକୁ ଯାଉଛନ୍ତି। ସମ୍ଭବତଃ ଏହା ହେଉଛି ଗଣତନ୍ତ୍ରର ଇଚ୍ଛା।

ହିଡ୍‌କୋ(୯୩), ଶ୍ୟାମଲାଲ(୮୮) ଓ ରବିକା ମନୀଷ(୮୪) କାଙ୍କେର ଜିଲା ଭାନୁପ୍ରତାପପୁର ନିର୍ବାଚନମଣ୍ଡଳୀର ବାସିନ୍ଦା। ରାଜଧାନୀ ରାୟପୁରରୁ ସେମାନଙ୍କ ମଫସଲ ଗଁା ପ୍ରାୟ ୨୦୦ କି.ମି. ଦୂର। ଏହି ୩ ଜଣ ନିକଟରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ ବେଳେ ନିଜ ନାମ ପଞ୍ଜୀକରଣ କରାଇଛନ୍ତି। ଘର ଘର ବୁଲି ସର୍ଭେ ବେଳେ ବୁଥ୍‌ ଲେଭେଲ ଅଧିକାରୀ ରାଜେନ୍ଦ୍ର କୋସ୍‌ମା ଏହି ୩ ଜଣଙ୍କୁ ଠାବ କରିଥିଲେ। ପ୍ରଥମେ ସେମାନେ ଭୋଟର ହେବା ପାଇଁ ମଙ୍ଗୁ ନ ଥିଲେ। ବୁଝାଶୁଝା କରିବା ପରେ ରାଜି ହୋଇଥିଲେ। ୩ ଜଣ ନିଜ ଆଧାର କାର୍ଡ ନକଲ ଓ ଫଟୋ ସମେତ ଅନ୍ୟ ଦସ୍ତାବିଜ ଦାଖଲ କରିଛନ୍ତି।

ହିଡ୍‌କୋ କହିଛନ୍ତି, ପ୍ରଥମ ଥର ଭୋଟର ହେବାକୁ ଯାଉଥିବାରୁ ଉତ୍ସାହିତ। ତେବେ ନାଗରିକ ହେବାର ମହତ୍ତ୍ୱ କ’ଣ ସେ ଜାଣି ନ ଥିଲେ। ସେହିପରି ଶ୍ୟାମଲାଲ ଓ ମନୀଷ ମଧ୍ୟ ଗଣତାନ୍ତ୍ରିକ ସରକାର ଗଠନରେ ନାଗରିକଙ୍କ ଭୂମିକା ଉପରେ ଅଜ୍ଞ। ପ୍ରକାଶ ଯେ, ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଛତିଶଗଡ଼ରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏବଂ ୪୦% ଭିନ୍ନକ୍ଷମ ଥିବା ନାଗରିକମାନଙ୍କୁ ପ୍ରଥମ ଥର ନିଜ ଘରୁ ପୋଷ୍ଟାଲ ବାଲଟ ଜରିଆରେ ମତଦାନ ଅଧିକାର ମିଳିବାକୁ ଯାଉଛି।

Share