Categories: ଖେଳ

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରି ୧୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ଦଶ ଘଣ୍ଟା ଧରି ବ୍ୟାଟିଂ କରି ୪୨୨ ବଲ୍‌ର ସାମ୍ନା କରିଥିଲେ। ଖ୍ବାଜାଙ୍କ ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୪୮୦ରନ୍‌ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।

ତେବେ ଖ୍ବାଜାଙ୍କ କ୍ରିକେଟରେ ଯାତ୍ରା କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ୧୯୮୬ ଡିସେମ୍ବର ୧୮ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ତାଙ୍କର ଜନ୍ମ। ୫ ବର୍ଷର ହୋଇଥିବା ବେଳେ ସେ ମାତାପିତାଙ୍କ ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ପରେ ନ୍ୟୁ ସାଉଥ୍‌ ଓ୍ବେଲ୍ସରେ ତାଙ୍କର ବାକି ପିଲାଦିନ ବିତିଥିଲା। ସେଠାର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିବା ପରେ ସେ ପାଇଲଟ୍‌ ଲାଇସେନ୍ସ ହାସଲ କରିଥିଲେ। ହେଲେ କ୍ରିକେଟ ପ୍ରତି ଥିବା ଭଲପାଇବା ଯୋଗୁ ସେ ପାଇଲଟ୍‌ ଚାକିରି ଛାଡ଼ିଥିଲେ।

ପାଠପଢ଼ା ସହ ଖ୍ବାଜାଙ୍କ କ୍ରିକେଟ କ୍ୟାରିୟର ବହୁତ କମ୍‌ ବୟସରୁ ଆରମ୍ଭ ହୋଇଥିଲା। ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ଅଣ୍ଡର-୧୭ ଟିମ୍‌ ଲାଗି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍‌ର ପ୍ରତିନିଧିତ୍ୱ କରିଥିଲେ। ୨୦୦୮ରେ ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ନିଜର ଜବରଦସ୍ତ ବ୍ୟାଟିଂ ଯୋଗୁ ସେ ଅଷ୍ଟ୍ରେଲିଆ-ଏ ଟିମ୍‌ରେ ସ୍ଥାନ ପାଇଥିଲେ। ପରେ ତାଙ୍କୁ ୨୦୧୦-୧୧ରେ ଇଲଂଣ୍ଡ ସିରିଜ ଲାଗି ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୧ ଜାନୁୟାରୀରେ ଇଲଂଣ୍ଡ ବିପକ୍ଷ ସିଡନୀ ଟେଷ୍ଟରେ ଟେଷ୍ଟ ଡେବ୍ୟୁ କରିଥିଲେ ସେ।

ଏଯାବତ ଖ୍ବାଜା ଅଷ୍ଟ୍ରେଲିଆ ପାଇଁ ୬୦ ଟେଷ୍ଟ, ୪୦ ଦିନିକିଆ ଏବଂ ୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ଏଯାବତ ୪୪୯୫ ରନ୍‌ କରିଛନ୍ତି। ଏଥିରେ ୧୪ ଶତକ ରହିଛି। ଦିନିକିଆରେ ସେ ୧୫୫୪ ଏବଂ ଟି୨୦ରେ ସେ ୨୪୧ ରନ୍‌ କରିଛନ୍ତି।

Share