ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ ଏହି ଦୁଇ ଝିଅ ଜନ୍ମ ଦେଇଛନ୍ତି। ଏହା ପରେ ପରିବାରରେ ଉତ୍ସବ ପାଳନ କରାଯାଇଛି। ଦୁଇ କନ୍ୟା ଏବଂ ମା’ଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ସାରା ଗାଁ ବୁଲାଇଛନ୍ତି ପରିବାର ଲୋକେ। ଗ୍ରାମବାସୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ କନ୍ୟାସନ୍ତାନଙ୍କୁ ଆଶୀର୍ବାଦ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି।

କୋଣଦାରେ ରହୁଥିବା ମୟୂର ଭାୟଲଙ୍କ ସ୍ତ୍ରୀ ୪ ମାସ ତଳେ ଗଣେଶ ଚତୁର୍ଥୀରେ ଦୁଇ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜଣଙ୍କ ନାଁ ସିଦ୍ଧି ଏବଂ ଆଉ ଜଣଙ୍କ ନାଁ ରିଦ୍ଧି ରଖିଛନ୍ତି। ୪ ମାସ ପରେ ଯାଆଁଳା ଭଉଣୀ ଅଜାଙ୍କ ଘରୁ ନିଜ ଘରକୁ ଆସିଥିବାରୁ ପରିବାର ଲୋକ ମିଶି ଉତ୍ସବ ପାଳନ କରିଛନ୍ତି। ଏହି ଉତ୍ସବରେ ପୂରା ଗ୍ରାମବାସୀ ସାମିଲ ଥିଲେ। ପ୍ରାୟ ୨ କିଲୋମିଟର ଧରି ମା’ ଏବଂ ଦୁଇ କନ୍ୟା ସନ୍ତାନଙ୍କୁ ରଥରେ ବସାଇ ବୁଲାଇଥିଲେ। ଡିଜେ ବଜାଇ ମହାଆନନ୍ଦରେ ରିଦ୍ଧି, ସିଦ୍ଧିଙ୍କୁ ସ୍ବାଗତ କରିଥିଲେ। ପରିବାରର ମୁଖ୍ୟ ଜଗଦୀଶ ଭାୟଲଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦେଢ଼ ବର୍ଷ ପୂର୍ବରୁ ଜଗଦୀଶ ତାଙ୍କ ପୁଅର ବିବାହ ବେଶ୍‌ ଧୂମଧାମରେ କରିଥିଲେ।

ଜଗଦୀଶ କୁହନ୍ତି, ମୋ’ ବୋହୂ ୪ ମାସ ତଳେ ଯାଅଁାଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲା। ଏହା ପରେ ସେ ତାଙ୍କ ବାପଘରେ ଥିଲା। ୪ ମାସ ପରେ ମୋ’ ଦୁଇ ନାତୁଣୀ ଘରକୁ ଫେରିଥିବାରୁ ଖୁସିରେ ଏପରି ଉତ୍ସବ ପାଳନ କରାଯାଉଛି।

Share