
ଏହି ଅବସ୍ଥାକୁ ‘ବୋଷ-ଆଇନଷ୍ଟାଇନ ଘନୀ ଭବନ’ କୁହାଯାଏ। ଏହା ବିଭିନ୍ନ ତରଳ କିମ୍ବା ଗ୍ୟାସୀୟ ଅବସ୍ଥା ନୁହେଁ। ଏହା ହେଉଛି ପଦାର୍ଥର ଗୋଟିଏ ନୂତନ ଅବସ୍ଥା। ବୋଷ-ଆଇନଷ୍ଟାଇନ୍ ଘନୀଭବନ ହେଉଛି ପଦାର୍ଥ ବିଜ୍ଞାନର ଏକ ଉଲ୍ଲେଖନୀୟ ସିଦ୍ଧାନ୍ତ। ଏଥିପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବୋଷଙ୍କ ନାମ ଅନେକ ଥର ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଏହା ପ୍ରଦାନ କରାଯାଇ ନ ଥିଲା। କାରଣ ଏହା ଏକ ତାତ୍ତ୍ୱିକ ଆବିଷ୍କାର ଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାଗାରରେ କେହି ପ୍ରମାଣ କରି ପାରି ନ ଥିଲେ। ଅତି କମ୍ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ହେଉ ନ ଥିବାରୁ ପରୀକ୍ଷାଗାରରେ ଏହି ଅବସ୍ଥାକୁ କେହି ପାଇପାରୁ ନ ଥିଲେ। କୌଣସି ତାତ୍ତ୍ୱିକ ଆବିଷ୍କାର ପରୀକ୍ଷାମୂଳକ ଭାବରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଏହାକୁ ସାଧାରଣତଃ ନୋବେଲ ପୁରସ୍କାର ପାଇଁ ବିଚାର କରାଯାଏ ନାହିଁ। ଆଇନଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ହେଉଛି ଏହାର ଏକ ଉଦାହରଣ। ଏହାକୁ ପରୀକ୍ଷା ଦ୍ୱାରା ପ୍ରମାଣ କରାଯାଇ ନ ପାରିବାରୁ ଏହି ତତ୍ତ୍ୱ ଯେତେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଆଇନଷ୍ଟାଇନଙ୍କୁ ଏଥିପାଇଁ ନୋବେଲ ପୁରସ୍କାର ଦିଆ ନ ଯାଇ ତାଙ୍କର ‘ଆଲୋକ ବିଦ୍ୟୁତ ପ୍ରଭାବ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇଂଲଣ୍ଡର ପିଟର ହିଗ୍ସ ୧୯୬୪ ମସିହାରେ ତାତ୍ତ୍ୱିକ ଭାବରେ ହିଗ୍ସ ବୋଷୋନର ପୂର୍ବାନୁମାନ କରିଥିଲେ, ମାତ୍ର ୨୦୧୨ ମସିହାରେ ଏହାକୁ ସର୍ନର ପରୀକ୍ଷାଗାରରେ ଚିହ୍ନଟ କରିବା ପରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଗଲା।
୧୯୯୫ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍ କର୍ଣ୍ଣେଲ ଓ କାର୍ଲ ଉଇମାନ ଏବଂ ଜର୍ମାନୀର ଉଲଫଗାଙ୍ଗ କେଟର୍ଲି ଲେଜର ଚୁମ୍ବକ ସାହାଯ୍ୟରେ କ୍ଷେତ୍ର ପ୍ରସ୍ତୁତ କରି ରୁବିଡିୟମର ପରମାଣୁକୁ ଧରି ରଖିବାର ଉପାୟ ବାହାର କଲେ ଏବଂ ଏହାକୁ ପରମ ଶୂନ୍ୟ (ବିଯୁକ୍ତ ୨୭୩.୧୫ ଡିଗ୍ରୀ ସେଲସିୟସ) ନିକଟବର୍ତ୍ତୀ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ବୋଷ-ଆଇନଷ୍ଟାଇନ ଘନୀଭବନକୁ ପରୀକ୍ଷାମୂଳକ ଭାବେ ପ୍ରମାଣ କଲେ। ସେଥିପାଇଁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ୨୦୦୧ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାପରେ ପୃଥିବୀର ଅନେକ ପରୀକ୍ଷାଗାରରେ ବୋଷ-ଆଇନଷ୍ଟାଇନ ଘନୀଭବନ ପ୍ରସ୍ତୁତ ହୋଇଛି। ଆମ ଦେଶରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସି.ଏସ୍. ଉନ୍ନିକ୍ରିଷ୍ଣନ ଏବଂ ତାଙ୍କର ଦୁଇ ସହଯୋଗୀ ଗବେଷକ ଛାତ୍ର ୨୦୦୭ ମସିହାରେ ଅଙ୍ଗାରକାମ୍ଳ ଲେଜର ସାହାଯ୍ୟରେ ରୁବିଡିୟମ ପରମାଣୁରୁ ଏହା ପ୍ରସ୍ତୁତ କରିଥିଲେ।
(ଶେଷ ଭାଗ)
-ଇଂ. ମାୟାଧର ସ୍ବାଇଁ, ୭୦, ଲକ୍ଷ୍ମୀବିହାର, ଫେଜ୍ ୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪