ଉଭୟ ଡୋଜ୍‌ ବି କରୋନାରୁ ସୁରକ୍ଷା ଦେବାରେ ବିଫଳ, ଲାସେଣ୍ଟ୍‌ ରିପୋର୍ଟ…

ଲଣ୍ଡନ/ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୀପାବଳି ପୂର୍ବରୁ ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଯେଉଁମାନେ କରୋନା ଭ୍ୟାକ୍ସିନର ଉଭୟ ଡୋଜ ନେଇଛନ୍ତି ସେମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।

ମେଡିକାଲ ଜର୍ଣ୍ଣାଲ ଦ ଲାସେଣ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି, ସେମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଏପରି ଲୋକମାନଙ୍କ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ୩୮ ପ୍ରତିଶତ ବୃଦ୍ଧିପାଇଥାଏ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି , ଯଦି ପରିବାରର ପ୍ରତ୍ୟେକ ସଦସ୍ୟ କରୋନା ଟିକା ଗ୍ରହଣ କରନ୍ତି, ତେବେ ପରସ୍ପରଠାରୁ ସଂକ୍ରମଣ ହେବାର ଆଶଙ୍କା ୩୮ ରୁ ୨୫ ପ୍ରତିଶତକୁ କମିଯାଏ।

ଉଭୟ ଡୋଜ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି ଏଥିରେ ଦର୍ଶାଯାଇଛି। ସେପ୍ଟେମ୍ବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଲଣ୍ଡନ ଏବଂ ବୋଲ୍ଟନରେ ୪୪୦ ପରିବାର ସଦସ୍ୟଙ୍କ ପିସିଆର୍‌ ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଥିଲା, ଯେଉଁମାନେ ଉଭୟ ଡୋଜ କରୋନା ଟିକା ନେଇଛନ୍ତି ସେମାନଙ୍କ ସଂକ୍ରମିତ ହେବାର ଆଶଙ୍କା ବହୁତ କମ, କିନ୍ତୁ ଏହା ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି।

ଅନୁସନ୍ଧାନ ସହ ଜଡିତ ଥିବା ଇମ୍ପେରିଆଲ କଲେଜ ଲଣ୍ଡନର ପ୍ରଫେସର ଅଜିତ ଲାଲୱାନି କହିଛନ୍ତି, ଟିକାର ଉଭୟ ଡୋଜ ନେଇଥିବା ଲୋକେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଯେପର୍ଯ୍ୟନ୍ତ ସମସ୍ତଙ୍କର ଟିକାକରଣ ନ କରାଯାଇଛି, ସେ ପର୍ଯ୍ୟନ୍ତ କରୋନା ବିପଦ ରହିବାର ଆଶଙ୍କା ରହିଛି।

ଶୀତଦିନେ କରୋନା ସଂକ୍ରମଣର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅଧିକାଂଶ ଲୋକ ଶୀତ ଋତୁରେ ଘର ଭିତରେ ରୁହନ୍ତି। ଏଭଳି ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପରଠାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ କରୋନା ଟିକା ନେବା ଜରୁରୀ।

ଏହି ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ବିଶ୍ୱର ଏକ ବୃହତ ଜନସଂଖ୍ୟା ଟିକାଠାରୁ ଦୂରରେ ଅଛନ୍ତି। ଏପରିକି ଯେଉଁ ଦେଶରେ ମାଗଣା ଟିକା ଲଗାଯାଉଛି, ଲୋକମାନେ ଟିକା ନେବାକୁ ଆସୁନାହାଁନ୍ତି। କରୋନାର ବିପଦ ନିଶ୍ଚିତ ଭାବେ ହ୍ରାସ ପାଇଛି କିନ୍ତୁ ଏହା ଶେଷ ହୋଇନାହିଁ। ତେଣୁ ଯେଉଁମାନେ କରୋନାର ଉଭୟ ଡୋଜ ନେଇ ସାରିଛନ୍ତି ସେମାନେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଭଳି ଅନ୍ୟ ସତର୍କତା ଅବଲମ୍ବନ କରିବା ଉଚିତ।

Share