ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍‌…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼ ସଫଳତା ମିଳିଛି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ କରୋନା ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୭୦,୧୭,୬୭୧ ଜଣ ଲୋକଙ୍କୁ କରୋନା ଟିକା ଦିଆଯିବା ପରେ କରୋନା ଟିକାକରଣ ସଂଖ୍ୟା ୧୩୯ କୋଟି ୭୦ ଲକ୍ଷ ଅତିକ୍ରମ କରିଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଭାରତ କରୋନା ମହାମାରୀ ବିରୋଧରେ ନୂଆ ସଫଳତା ହାସଲ କରିଛି। ଦେଶର ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ତଥା ଜନସାଧାରଣଙ୍କ ଉତ୍ସର୍ଗୀକୃତ ପ୍ରୟାସରେ, ସମୁଦାୟ ଯୋଗ୍ୟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକଙ୍କୁ ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି।

ଏନେଇ ସେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ତଥା ଦେଶର ନାଗରିକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ବର୍ତ୍ତମାନ ଦେଶରେ କରୋନାର ୭୮,୨୯୧ ସକ୍ରିୟ ମାମଲା ରହିଛି ଏବଂ ଏହା ମୋଟ କରୋନା ପଜିଟିଭ ମାମଲାର ୦.୨୩ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରଠାରୁ ଏହା ସର୍ବନିମ୍ନ ବୋଲି ସେ କହିଛନ୍ତି।

 

Share