Categories: ଜାତୀୟ

ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ…

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଅଧିବେଶନର ପ୍ରଥମ ସପ୍ତାହରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ସୋମବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଉତ୍ତେଜନା ଯୋଗୁଁ ଲୋକ ସଭା ଓ ରାଜ୍ୟ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେଗାସସ୍‌, କୃଷକ ଆନ୍ଦୋଳନ ଏବଂ ଗଣମାଧ୍ୟମ ଉପରେ ଚଢ଼ାଉ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ଏମ୍‌ପି ମନୀଷ ତିୱାରୀ ଲୋକ ସଭାରେ ’ପେଗାସସ ପ୍ରୋଜେକ୍ଟ’ ରିପୋର୍ଟ ଉପରେ ଆଲୋଚନା ପାଇଁ ସ୍ଥଗନ ପ୍ରସ୍ତାବ ନୋଟିସ ପଠାଇଛନ୍ତି। ସେହିପରି କଂଗ୍ରେସ ଏମ୍‌ପି ମଣିକାମ ଟାଗୋର ମଧ୍ୟ ସରକାରଙ୍କ ତରଫରୁ ପେଗାସସ ସ୍ପାଏୱେୟାର ବ୍ୟବହାରକୁ ନେଇ ବିତର୍କ ପାଇଁ ନୋଟିସ ଦେଇଛନ୍ତି। ଅପରପକ୍ଷରେ ଡିଏମକେ ଏମ୍‌ପି ତିରୁଚି ଶିବା ମଧ୍ୟ ରାଜ୍ୟ ସଭାରେ ସ୍ଥଗିତାଦେଶ ପ୍ରସ୍ତାବ ଦେଇଛନ୍ତି। ପେଗାସସ ମାମଲା ସମ୍ପର୍କରେ ଆଲୋଚନା ପାଇଁ ସେ ଦାବି କରିଛନ୍ତି।

Share