ଚଣ୍ଡିଖୋଲ,୨୫ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଲଲିତଗିରି ସଂଲଗ୍ନ ପାରାଭାଡ଼ି ପାହାଡ଼ ପ୍ରାଚୀନ ବୌଦ୍ଧସ୍ତୂପ ପାଇଁ ବେଶ ପରିଚୟ ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହି ପାହାଡ଼ରୁ ଖାଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ନିଷ୍ପତ୍ତି ନେଲା ପରେ ଏବେ ପାହାଡ଼ଟି ସମ୍ପୂର୍ଣ୍ଣ ବିପଦରେ। ଏହି ପାହାଡ଼ ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ କେଶରାଇପୁର ଓ ବନ୍ଦରେଶ୍ୱର ଶୁଖୁଆପଡ଼ା ମୌଜାରେ ୮୦ ଭାଗ ଅବସ୍ଥିତ ଥିଲାବେଳେ ୨୦ ଭାଗ କଟକ ଜିଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଲଲିତଗିରି ମୌଜାରେ ରହିଛି। ପାହାଡ଼ ଶୀର୍ଷ ଦେଶରେ ପ୍ରାଚୀନ ବୌଦ୍ଧସ୍ତୂପ ପାରାଭାଡ଼ି ରହିଛି, ଯାହାକି ଖ୍ରୀ:ପୂ ଦ୍ୱିତୀୟ ଶତାଦ୍ଦୀ ସମୟର ବୋଲି ଐତିହାସିକ ମତ ଦିଅନ୍ତି। ରାଜ୍ୟ ସରକାରଙ୍କୁ ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଖାଣ୍ଡୋଲାଇଟ ପଥରର ଆବଶ୍ୟକତା ରହିଥିଲା। ସେଥିପାଇଁ ଖାଣ୍ଡୋଲାଇଟ ପଥର ଖଣି ଖନନ ନିମନ୍ତେ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି)କୁ ଦାୟିତ୍ୱ ଦିଆଯାଇଥିଲା। ଓଏମ୍ସି ତରଫରୁ ବିଭିନ୍ନ ସ୍ଥାନରେ ସର୍ଭେ ପରେ ପାରାଭାଡ଼ି ପାହାଡ଼ ଖନନ ପାଇଁ ସ୍ଥିରୀକୃତ ହୋଇଥିଲା। ଏହି ପାହାଡ଼ରୁ ଖାଣ୍ଡୋଲାଇଟ ସାଇଜ ପଥର କାଟିବା ପାଇଁ ସେଠାରେ ମେଶିନ୍ ପକାଯାଇଥିଲା। ତେବେ ଓଏମ୍ସି ତରଫରୁ ଶୁଖୁଆପଡ଼ା ଅଞ୍ଚଳରୁ ପଥର ଖନନ କରାଯିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପ୍ରକୃତ ପଥର ଖନନ କେଶରାଇପୁର ରାଜସ୍ବ ମୌଜାରୁ କରାଗଲା। କେଶରାଇପୁରଠାରେ ଖନନ କରାଯାଉଥିଲେ ମଧ୍ୟ ଏହି ଖଣିର ନାମ ଶୁଖୁଆପଡ଼ା ରଖାଗଲା। ଖଣି ଖନନର ୨ମାସ ପରେ ସେଠାରୁ ଉତ୍ତମ ମାନର ପଥର ବାହାରିଲା ନାହଁି। ଯେଉଁଥି ପାଇଁ ଓଏମ୍ସି କଟକ ଜିଲାର ଗୋବିନ୍ଦପୁରଠାରେ ପଥର ଖନନ କରି ଏଠାକୁ ଆଣି ମେଶିନ୍ରେ କାଟୁଛି। ହେଲେ ଆଶ୍ଚର୍ଯ୍ୟର କଥା ଏଠାରୁ ଖାଣ୍ଡୋଲାଇଟ୍ ପଥର ବାହାରୁ ନ ଥିଲେ ମଧ୍ୟ ପାରାଭାଡ଼ି ବୌଦ୍ଧ ସ୍ତୂପର ଠିକ୍ ତଳକୁ ପାହାଡ଼ର ହଜାର ହଜାର ଗଛ କଟାଯିବା ସହ ପାହାଡ଼କୁ ବିସ୍ତୀର୍ଣ୍ଣ କରିଦିଆଗଲା, ଯାହାକୁ ନେଇ ବୁଦ୍ଧାୟନ ତରଫରୁ ଏହାର ସଭାପତି ପ୍ରଦୀପ୍ତ କୁମାର ଭୁୟଁା ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଚିଠି ଲେଖିଥିଲେ। ଏହାପରେ ଏହି ଖନନ ବିରୋଧରେ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରିଥିଲେ। ମାତ୍ର ଓଏମ୍ସି ତରଫରୁ ଏହାକୁ ବନ୍ଦ କରାଯାଇ ନ ଥିଲା। ତେଣୁ ଏହି ଶୁଖୁଆପଡ଼ା ଖଣିରୁ ପଥର ବାହାରୁ ନ ଥିଲାବେଳେ ପ୍ରାଚୀନ ବୌଦ୍ଧ ସ୍ତୂପ ରହିଥିବା ପାରାଭାଡ଼ି ପାହାଡ଼କୁ ଯେଉଁଭଳି ଭାବେ ନଷ୍ଟ କରାଗଲା ତା’ର କ୍ଷତିପୂରଣ କିଏ ଭରଣ କରିବ ବୋଲି ଭୂୟଁା ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଓଏମ୍ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଶୁଖୁଆପଡ଼ା ଖଣିରୁ ଯେଉଁ ପଥର ବାହାରୁଛି ସେଗୁଡ଼ିକ ଭାଙ୍ଗିଯାଉଛି। ସେଥିପାଇଁ ସେଠାରୁ ଖନନ ବନ୍ଦ କରାଯାଇ ଗୋବିନ୍ଦପୁରରୁ ଖନନ କରାଯାଉଛି।