ପିଲାଟି ଦିନରୁ ଏକ ସାଂଗୀତିକ ପରିବାର ଭିତରେ ବଢ଼ି ଆସିଥିଲି। ବାପାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶୁଣୁଥିଲି। ମାଆ ବି ଭଜନ, ଜଣାଣ, ଛାନ୍ଦ, ଚମ୍ପୂ, ଚଉପଦୀ, ମଥୁରା ମଙ୍ଗଳ ଗାଇବା ସହିତ ଭାଗବତ ପୁରାଣ ପଢୁଥିଲା। ସବୁକୁ ଶୁଣି ଶୁଣି ମୁଁ ମଧ୍ୟ କେତେବେଳେ କେମିତି ଗୋଟେ ଗୋଟେ ଗାଉଥିଲି। ପାଠପଢ଼ା ଅଧାରୁ ମୋର ବିବାହ ହୋଇଗଲା। ପରିବାରର ଦାୟିତ୍ୱ, ଜୀବନ ଜଞ୍ଜାଳ ଭିତରୁ ପ୍ରତିଦିନ କିଛି କିଛି ସମୟ ବାହାରକରି ରେଡିଓରୁ ଗୀତ ଶୁଣେ, ବିଭିନ୍ନ ପତ୍ରପତ୍ରିକା ପଢ଼େ। ତା’ସହ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ଦେଖେ। ନିୟମିତ ପତ୍ରପତ୍ରିକା ପଢ଼ିବା ଭିତରେ ମୋର କାହିଁକି ଲେଖାଲେଖି କରିବାକୁ ଇଚ୍ଛା ହେଲା। ଯା’ହେଉ ମା’ ଆଦିଶକ୍ତିଙ୍କ ଅପାର କରୁଣାରୁ ମୁଁ ଲେଖନି ଧରିଲି। ଏଥିପାଇଁ ସମାଜରୁ ମୋତେ ସେତେବେଳେ ଅନେକ ସମାଲୋଚନା ଶୁଣିବାକୁ ପଡ଼ିଥିଲା। କିନ୍ତୁ ମା’ବାପାଙ୍କ ଆଶୀର୍ବାଦ, ସ୍ବାମୀଙ୍କ ସହମତି ଓ ସହଯୋଗ ଯୋଗୁ ଆଗକୁ ବଢ଼ି ସାମାଜିକ ପ୍ରତିବନ୍ଧକକୁ ସହଜରେ ଏଡ଼ାଇ ଯାଇ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିବାରେ ସକ୍ଷମ ହେଲି। ଅନେକ କବିତା, ଶିଶୁ କବିତା, ପ୍ରବନ୍ଧ, ସମାଲୋଚନା, ରମ୍ୟ ରଚନା, ଗଳ୍ପ, ନାଟକ, ଗୀତିନାଟ୍ୟ ଆଦି ଲେଖିଥିଲେ ମଧ୍ୟ ଭକ୍ତି ଗୀତ, ଆଧୁନିକ ଗୀତିକବିତାରେ ମୋର ଅଧିକ ଦଖଲ ରହିଛି ବୋଲି ମୁଁ ଭାବେ। ଦୀର୍ଘ ୩୬ ବର୍ଷର ସାହିତ୍ୟ ସାଧନା ଭିତରେ ଗୀତିକବି ଭାବେ ମୁଁ ଅଧିକ ପରିଚିତ ହୋଇଛି ପାଠିକା/ପାଠକଙ୍କ ନିକଟରେ। ଶତାଧିକ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶିତ ହୋଇଛି, ଅନେକ ସ୍ବୀକୃତିପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ, ସମ୍ମାନିତ ବି ହୋଇଛି। କିନ୍ତୁ ଆଜି ବି ମୋର ଲେଖା ପଢ଼ି କେହି ପାଠକ ଫୋନ୍ଟିଏ କଲେ ମୋତେ ଅଧିକ ଖୁସି ଲାଗେ ଏବଂ ସାଧନାର ସଫଳତା ଅନୁଭବ କରେ। ମୁଁ ଜଣେ ସାଧାରଣ ଗୃହିଣୀ, ଘରର ଚାରିକାନ୍ଥ ଭିତରେ ମୋ ଦୁନିଆ। ଘରର ଖର୍ଚ୍ଚ, ପିଲାଛୁଆଙ୍କ ପାଠପଢ଼ା ପାଇଁ ସବୁବେଳେ ସ୍ବାମୀଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ତେବେ ୨୦୦୩ରେ ଆକାଶବାଣୀ, କଟକ କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ମୋତେ କବିତା ପଢ଼ିବାର ସୁଯୋଗ ମିଳିଥିଲା; ଯାହା ଥିଲା ନାରୀ ଜୀବନର କଥାକୁ ନେଇ। ଏଥିପାଇଁ ମୋତେ ସେତେବେଳେ ୭୦୦ ଟଙ୍କା ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ମା’ ଆଦିଶକ୍ତିଙ୍କ କୃପାରୁ ଲେଖିନି ଧରିଥିଲି, ତେଣୁ ପ୍ରଥମ ପାରିଶ୍ରମିକ ଟଙ୍କାରେ ଆମ ତାଳଚେର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପାଇଁ ପିପିଲିରୁ ଛତି ଚାନ୍ଦୁଆଟିଏ କିଣି ନେଇ ଲାଗି କରାଇଥିଲି; ଯାହାକି ମୋତେ ଅଶେଷ ଆନନ୍ଦ ଦେଇଥିଲା। ପରବର୍ତ୍ତୀ ସମୟରେ ଅନେକଥର ନାରୀ ମହଲ, ଶିଶୁ ସଂସାରରେ ମୋର କବିତା ପ୍ରସାରିତ ହୋଇଛି। ଏପରି କି ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ ପାଇଁ ବି କାମ କରି କିଛି ରୋଜଗାର ମଧ୍ୟ କରିଛି। ହେଲେ ସେଦିନର ପ୍ରଥମ ପାଉଣା ମୋ ଭିତରେ ଭରିଦେଇଥିଲା ପହିଲି ପୁଲକ; ଯାହା ମୋ ପାଇଁ ଆଜି ବି ଅଭୁଲା ଦିନଟିଏ ହୋଇ ରହିଛି।