ଯୁବକଙ୍କ ତଣ୍ଟି କାଟିଲେ ବାଉନ୍ସର

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବାଉଁସରମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ବାର୍‌ର ବାଉନ୍ସରମାନେ ମାଡ଼ ମାରି ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ପଙ୍ଗୁ କରିଥିବାବେଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ମାଡ଼ମାରି ରକ୍ତାକ୍ତ କରିଥିଲେ। ପୁଣି ଶନିବାର ରାତିରେ ଖାରବେଳନଗର ଅଞ୍ଚଳରେ ଜଣେ ଯୁବକଙ୍କ ବେକ କାଟି ମରଣାନ୍ତକ ଆକ୍ରମଣ କରିଛନ୍ତି। ଖାରବେଳନଗର ଥାନା ନିକଟସ୍ଥ ମ୍ୟାଡ ମୂଲ ପବ୍‌ ଓ ବାର୍‌ର ବାଉନ୍ସରମାନେ ବର୍ବରତାର ସୀମା ଟପିଯାଇଛନ୍ତି। ବାର୍‌ରେ ୨ ଜଣ ଯୁବକଙ୍କ ସହ ବଚସା ହେବା ପରେ ସେମାନଙ୍କୁ ମାଡ଼ ମାରି ବାରରୁ ବାହାର କରିବା ସହ ରାସ୍ତାରେ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକମ୍ରଣ କରି ଫେରାର ହୋଇଯାଇଛନ୍ତି। ଆର୍ଯ୍ୟ ବେଦାନ୍ତ ନାମକ ଯୁବକଙ୍କ ବେକର ଆଗ ପାର୍ଶ୍ୱ ଓ ପଛରେ ଗୁରୁତର କ୍ଷତ ହେବା ସହ ସେ ଏକ ଘରୋଇ ହସ୍ପିଟାଲରେ ଜୀବନ ସହ ଲଢ଼େଇ କରୁଛନ୍ତି। ତାଙ୍କର ସହଯୋଗୀ ବନ୍ଧୁ ଦେବାଶିଷଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବାବେଳେ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ.୫୪/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ, ଶନିବାର ରାତିରେ ଆର୍ଯ୍ୟ ଓ ଦେବାଶିଷ ମ୍ୟାଡ ମୁଲ ବାରରେ ଖାଦ୍ୟ ନେବାବେଳେ ବାର୍‌ର ବାଉଁସରମାନଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ଉଭୟ ବାର୍‌ରୁ ଫେରିବାବେଳେ ପୁଣି ବାଉନ୍ସରଙ୍କ ସହ ମୁହଁାମୁହିଁ କଥା କଟାକଟି ହୋଇଥିଲା। ବାଉଁସରମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କର ଅନ୍ୟ କିଛି ବାଉନ୍ସର ସାଙ୍ଗଙ୍କୁ ଡକାଇଥିଲେ। ସେମାନେ ଜନପଥ ରୋଡ୍‌ରେ ଆର୍ଯ୍ୟ ଓ ଦେବାଶିଷଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆସିବାରୁ ବାଉନ୍ସରମାନେ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଉଦ୍ଧାର କରି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।

Share