Categories: ଖେଳ

ବ୍ୟାଟିଂ ବିପର୍ଯ୍ୟୟ: ୩୧୮ ରନ୍‌ ପଛରେ ଭାରତ

ଦ ଓଭାଲ,୯ା୬: ଦ ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ଦ୍ୱିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭ୍‌ ସ୍ମିଥଙ୍କ ଶତକ ବଳରେ ୪୬୯ ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଏହାର ଜବାବରେ ଭାରତ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଦିନ ଖେଳା ସୁଦ୍ଧା ଭାରତ ୩୮ ଓଭରରେ ୫ ଉଇକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଛି। ହାତରେ ୫ ଉଇକେଟ ଥିବାବେଳେ ୩୧୮ ରନ୍‌ ପଛରେ ରହିଛି ଭାରତ।

୪୬୯ ରନ୍‌ ଜବାବରେ ଭାରତର ଆରମ୍ଭ ଭଲ ରହିଥିଲା। ରୋହିତ ଶର୍ମା(୧୫) ଓ ଶୁବମାନ୍‌ ଗିଲ୍‌(୧୩) ଓପନିଂରେ ୩୦ ରନ୍‌ ଯୋଡିଥିଲେ। ଦଳୀୟ ସ୍କୋର ୩୦ରେ ଉଭୟ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଚେତେଶ୍ୱର ପୂଜାରା(୧୪) ଓ ବିରାଟ କୋହଲି(୧୪) ରନ୍‌ ଲେଖାଏ ସ୍କୋର କରିଥିଲେ। ଭଲ ଆରମ୍ଭ ପାଇଥିଲେ ମଧ୍ୟ ଉଭୟ ଖେଳାଳି ବଡ ସ୍କୋର କରି ପାରି ନ ଥିଲେ। ବିରାଟ କୋହଲି ଦଳୀୟ ସ୍କୋର ୭୧ ରନ୍‌ରେ ଆଉଟ ହେବା ପରେ ଭାରତ ସଙ୍କଟରେ ପଡିଥିଲା। ହେଲେ ଜାଡେଜା ଏବଂ ରାହାନେ ଦଳକୁ ଆଗକୁ ନେଇଥିଲେ। ଉଭୟ ୫ମ ଉଇକେଟରେ ୭୧ ରନ୍‌ ଯୋଡିଥିଲେ। ଜାଡେଜା ୫୧ ବଲ୍‌ ଖେଳି ୪୮ ରନ୍‌ କରି ନାଥାନ ଲିୟନଙ୍କ ବଲରେ ଆଉଟ ହୋଇଥିଲେ। ଅଜିଙ୍କ୍ୟ ରାହାନେ ୨୮ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପ୍ୟାଟ୍‌ କୁମିନ୍ସ, ସ୍କଟ୍‌ ବୋଲାଣ୍ଡ, କାମେରନ୍‌ ଗ୍ରୀନ୍‌ ଓ ନାଥାନ ଲିୟନ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି।

Share