କଲମ୍ବୋ ,୨୮।୭: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ୪ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ମ୍ୟାଚ୍ର ଏଭଳି ଫଳାଫଳ ଯୋଗୁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ର ବରାବର ସ୍ଥିତିକୁ ଆସିଛି। ଟର୍ନିଂ ପିଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଶ୍ରୀଲଙ୍କା ଆଗରେ ୧୩୩ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା। ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ୧୯.୪ ଓଭରରେ ୬ ଉଇକେଟ କ୍ଷତିରେ ୧୩୩ ରନ୍ କରି ମ୍ୟାଚ୍ ଜିତି ନେଇଥିଲା ଶ୍ରୀଲଙ୍କା। ଏହି ମ୍ୟାଚ୍ ଜରିଆରେ ରୁତୁରାଜ ଗାଏକ୍ୱାଡ, ଦେବଦତ୍ତ ପାଡକଲ, ନୀତିଶ ରାଣା ଓ ଚେତନ ସାକରିୟା ଟି୨୦ କ୍ୟାରିୟର ଆରମ୍ଭ କରିଛନ୍ତି। ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଗୁରୁବାର ଖେଳାଯିବ।
ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍ ଘରୋଇ ସ୍ପିନରଙ୍କ ଆଗରେ ଫେଲ ମାରିଥିଲା। ଅଧିନାୟକ ଶିଖର ଧାଓ୍ବନ (୪୦), ପାଡିକଲ (୨୯) ଓ ଗାଏକ୍ୱାଡ (୨୧)ଙ୍କୁ ଛାଡ଼ି ଦେଲେ କେହି ଆଖି ଦୃଶିଆ ସ୍କୋର କରିପାରି ନ ଥିଲେ। ଫଳରେ ଭାରତ ୨୦ ଓଭରରେ ୫ ଉିକେଟ ହରାଇ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଭାରତୀୟ ବୋଲରମାନେ ମଧ୍ୟ ଶ୍ରୀଲଙ୍କାକୁ ବାରମ୍ବାର ଝଟ୍କା ଦେଇଥିଲେ। କିନ୍ତୁ ଛୋଟିଆ ଟାର୍ଗେଟ ତା’ ସାଙ୍ଗକୁ ଠିକଣା ସମୟରେ କ୍ୟାଚ୍ ଛାଡ଼ିବା ଭାରତୀୟ ଦଳକୁ ମହଙ୍ଗା ପଡ଼ିଥିଲା। ନହେଲେ ଯୁବ ବୋଲରମାନେ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ।