Categories: ଖେଳ

ପାକିସ୍ତାନ ବୋଲରଙ୍କୁ ଶିଖାଯାଉଛି ବଲ୍‌ ଟାମ୍ପରିଂ! ପିସିବି ଉପରେ ବଡ଼ ଅଭିଯୋଗ ଆଣିଲେ…

ଇସଲାମାବାଦ,୧୧।୧୦: ଇଂଲଣ୍ଡ ବିପକ୍ଷ ମୁଲ୍‌ତାନ ଟେଷ୍ଟ ଶେଷ ହେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବଲ ଟାମ୍ପରିଂ ଶିଖାଯାଉଥିବା ନେଇ ବଡ଼ ଅଭିଯୋଗ ଆସିଛି। ମ୍ୟାଚ୍‌ରେ ବୋଲର୍‌ଙ୍କୁ ନୂଆ ଏବଂ ପୁରୁଣା ବୋଲିଂରେ ସ୍ବିଙ୍ଗ ନ ମିଳିବାରୁ ଜଣେ ପାକିସ୍ତାନୀ ଖବରଦାତା ଏହା ପଛରେ ଏକ ବଡ଼ କାରଣ ଥିବା କହିଛନ୍ତି। ଏପରିକି ସେ ପିସିବିର ଘରୋଇ କ୍ରିକେଟ ସାରଣୀ ଉପରେ ପ୍ରଶ୍ନ ଉଠାଇବା ସହ ବଲ୍‌ ଟାମ୍ପରିଂକୁ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି।

କିଛି ରିପୋର୍ଟ ଆଧାରରେ ଖବରଦାତାଜଣଙ୍କ କହିଛନ୍ତି, ନସୀମ ଶାହାଙ୍କ ସମେତ ଅନେକ ବୋଲର୍‌ ଘରୋଇ କ୍ରିକେଟରୁ ହିଁ ବଲ୍‌କୁ ଛିଣ୍ଡାଇବା ଅଭ୍ୟାସ କରିଥାନ୍ତି। ଆଇସିସି ନିୟମ ମୁତାବକ ଏହା ବଲ ଟାମ୍ପରିଂ ଅଧୀନରେ ଆସିଥାଏ। ସେହିଭଳି ଅନ୍ତର୍ଜାତୀୟସ୍ତରରେ ସେ ଏହି କାମ କରିପାରୁନାହାନ୍ତି, ଫଳରେ ରିଭର୍ସ କରାଇବାରେ ଅସୁବିଧା ହେଉଛି। ଏପରିକି ମ୍ୟାଚ୍‌ ଅଧିକାରୀ, କୋଚିଂ ଷ୍ଟାଫ ଏବଂ ବରିଷ୍ଠ ଖେଳାଳି ଆଦି ଏହାକୁ ଜାଣିଶୁଣି ପ୍ରଶୟ ଦେଉଛନ୍ତି, ଯାହାକୁ ଦେଖି ଯୁବା ବୋଲର୍‌ ବଲ୍‌ ଟାମ୍ପରିଂ ଶିଖିଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କହିରଖୁଛୁ, ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପରାଜୟକୁ ଏଡାଇବା ଲାଗି ମୁଲ୍‌ତାନରେ ପିଚ୍‌କୁ ସ୍ବତନ୍ତ୍ର ଭାବେ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ବୋର୍ଡର ନିଷ୍ପତ୍ତି ଖେଳାଳିଙ୍କୁ ଅଡ଼ୁଆରେ ପକାଇଥିଲା।

Share