ନୂଆଦିଲ୍ଲୀ,୯।୫(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଭାରତୀୟ ବକ୍ସର ମନଦୀପ ଜାଙ୍ଗ୍ରା ପେସାଦାର ବକ୍ସିଂରେ ସକାରାତ୍ମକ ଆରମ୍ଭ କରିଛନ୍ତି। ଆମେରିକାର ଫ୍ଲୋରିଡାରେ ସେ ତାଙ୍କର ପଦାର୍ପଣ ବାଉଟ୍ରେ ଆର୍ଜେଣ୍ଟିନାର ଲୁସିଆନୋ ରାମୋସଙ୍କୁ ହରାଇଛନ୍ତି। ଏଥିସହ ପ୍ରଫେସନାଲ ସର୍କିଟ୍ରେ ସେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ଟ୍ରେନିଂ ପାଇଁ ସେ ଦୁଇମାସ ପୂର୍ବରୁ ଆମେରିକା ଯାତ୍ରା କରିଥିଲେ।
ଶନିବାର ସୁପର ଓ୍ବେଲଟରଓ୍ବେଟ ବର୍ଗରେ ଅନୁଷ୍ଠିତ ଏହି ବାଉଟ୍ରେ ୪ ରାଉଣ୍ଡ ବିଶିଷ୍ଟ ଅନାନିମୋସ ଡିସିଶନରେ ଜାଙ୍ଗ୍ରା ବିଜୟୀ ଘୋଷିତ ହୋଇଥିଲେ। ଫ୍ଲୋରିଡାସ୍ଥିତ ପ୍ରୋ ବକ୍ସ ପ୍ରମୋଶନ୍ସ ସହ ଜାଙ୍ଗା ଏକ ଚୁକ୍ତି କରିଥିଲେ। ଏହି ଲଢ଼େଇ ମାର୍ଚ୍ଚ ୧୯ରେ ଆୟୋଜନ ହେବାର ଥିଲା। ୨୭ ବର୍ଷୀୟ ଜାଙ୍ଗ୍ରା ୨୦୧୩ ଏସିଆନ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଜାଙ୍ଗ୍ରା ଆମେରିକୀୟ କୋଚ୍ ଆସା ବିୟର୍ଡ ଓ ମାର୍କ ଫାରେଟ୍ଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଉଛନ୍ତି। ପ୍ରଫେଶନାଲ ବକ୍ସିଂରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ସେ ଖୁସି ଜାହିର କରିଛନ୍ତି।