ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେଇଥିବା ଏହି ୩୦ ବର୍ଷୀୟା ଭାରତୀୟ ବକ୍ସର ତାଙ୍କଠାରୁ ୧୦ବର୍ଷ ସାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ରିଙ୍ଗ୍‌ରେ ଚାଇବା ସନ୍ତୁଳନ ରକ୍ଷା କରିପାରୁ ନ ଥିବାରୁ ହରିୟାଣା ବକ୍ସର ଏଥିରୁ ଫାଇଦା ଉଠାଇଥିଲେ। ରାଣୀ ପରବର୍ତ୍ତୀ ରାଉଣ୍ଡରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ, ଦୁଇଥର ଏସିଆନ ଚାମ୍ପିୟନ ଏବଂ ପୂର୍ବତନ ବିଶ୍ୱ ସ୍ବର୍ଣ୍ଣ ବିଜୟିନୀ ଚାଇନାର ଲିନ୍‌ କ୍ୱାନଙ୍କୁ ଭେଟିବେ। ଦୁଇ ବକ୍ସରଙ୍କ ମଧ୍ୟରେ ମୁକାବିଲା ଜୁଲାଇ ୩୧ରେ ହେବ। ଚାଇନାର ୩୧ବର୍ଷୀୟ ବକ୍ସରଙ୍କ ବିପକ୍ଷରେ ରାଣୀଙ୍କ ରେକର୍ଡ ଭଲ ରହିଛି। କ୍ୱାନ ୨୦୧୪ ଏସିଆନ ଗେମ୍ସ ଏବଂ ଗତବର୍ଷ ଜୋର୍ଡାନରେ ଅନୁଷ୍ଠିତ ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ରାଣୀଙ୍କୁ ହରାଇ ଦେଇଥିଲେ। ଅଲିମ୍ପିକ୍ସରେ ପହଞ୍ଚତ୍ବା ଲାଗି ରାଣୀଙ୍କୁ ବହୁ ବାଧାବିଘ୍ନ ଅତିକ୍ରମ କରିବାକୁ ହୋଇଛି। ୨୦୧୬ରେ ତାଙ୍କ ହାତ ପୋଡିଯାଇଥିଲା, ୨୦୧୭ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ତାଙ୍କ କ୍ୟାରିୟର ପ୍ରତି ବିପଦ ଦେଖା ଦେଇଥିଲା। ତାଙ୍କ ପିତା ଜଣେ ପୋଲିସ ଅଫିସର। ରାଣୀ ଜଣେ ବକ୍ସର ହୁଅନ୍ତୁ ବୋଲି ସେ ଚାହୁଁ ନ ଥିଲେ। ଏହା ଆକ୍ରମଣାତ୍ମକ ଲୋକମାନଙ୍କ ଲାଗି ଏକ ଖେଳ ବୋଲି ତାଙ୍କର ଧାରଣା ଥିଲା।

Share