୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି। ମାତ୍ର ସେ ପ୍ରତିଦିନ ୧୮ରୁ ୨୦ଟି ରୁଟି ଖାଉଛନ୍ତି। ତଥାପି କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ଏନେଇ ଚିନ୍ତିତ ଅଛନ୍ତି ଯେ, ପୁଅ କୌଣସି ବଡ଼ ରୋଗର ଶିକାର ହୋଇଛନ୍ତି। ଏହା ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ।

ଏହା ମଧ୍ୟପ୍ରଦେଶର ମୋରେନା ଜିଲାରେ ଦେଖିବାକୁ ମିଳିଛି। ମୋରେନାର ଏକ ଗରିବ ପରିବାରର ପୁଅ ଏପରି ଅଜବ ରୋଗର ଶିକାର ହୋଇଛନ୍ତି। ଡାକ୍ତରମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମନୋଜ ଚନ୍ଦେଲଙ୍କ ପୁଅ ଆଶିଷ ଦୀର୍ଘ ୧୮ ମାସ ଧରି ଶୌଚାଳୟ ଯାଇନାହାନ୍ତି।

ପରିବାର ଲୋକେ ଏଥିରେ ଚିନ୍ତା ପ୍ରକଟ କରି ମୋରେନା-ବିନ୍ଦ ଗ୍ବାଲିଅରର ଅନେକ ଡାକ୍ତରଙ୍କୁ ଦେଖାଇଥିଲେ। ଏହି ରୋଗ ଜାଣିବା ପାଇଁ ଅନୁସନ୍ଧାନ କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ କୌଣସି ରୋଗ ଚିହ୍ନଟ କରାଯାଇନାହିଁ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ରୋଗ ବିଷୟରେ ଜାଣିବା ପାଇଁ ଏକ ବଡ଼ ଅନୁସନ୍ଧାନ କରିବାକୁ କହୁଛନ୍ତି। ଅନୁସନ୍ଧାନ ବିନା କୌଣସି ସମ୍ଭାବନା ପ୍ରକାଶ କରିବାକୁ ଡାକ୍ତରମାନେ ଉପଯୁକ୍ତ ମନେ କରନ୍ତି ନାହିଁ।

Share