Categories: ଜାତୀୟ

ବରଯାତ୍ରୀରେ ନାଚୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ଉଜ୍ଜେନ,୭।୫: ମଧ୍ୟପ୍ରଦେଶର ଉଜ୍ଜେନରେ ଏକ ଅଘଟଣ ଘଟିଛି। ବରଯାତ୍ରୀରେ ଡିଜେ ବାଜୁଥିବା ବେଳେ ନାଚୁ ନାଚୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଡିଜେର ତୀବ୍ର ଶବ୍ଦ ଯୋଗୁ ଉକ୍ତ ଯୁବକଙ୍କ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ହୋଇଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ଦାବି କରିଛନ୍ତି। ସୂଚନାଯୋଗ୍ୟ, ଉଜ୍ଜେନ ସ୍ଥିତ ଆମ୍ବୋଡିଆ ଡେମ୍‌ରେ ରହୁଥିବା ୧୮ବର୍ଷୀୟ ଲାଲ ସିଂହ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ବିଜୟଙ୍କ ବିବାହରେ ସାମିଲ ହେବା ପାଇଁ ତାଜପୁର ଯାଇଥିଲେ। ଗାଁରୁ ବରଯାତ୍ରୀ ବାହାରିଥିବା ବେଳେ ଲାଲସିଂହ ସାଙ୍ଗମାନଙ୍କ ସହ ଡାନ୍ସ କରୁଥିଲେ। ଏହି ସମୟରେ ସେ ମୋବାଇଲରେ ଭିଡିଓ କରୁଥିବା ବେଳେ ହଠତ୍‌ ଅଚେତ୍‌ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ ଉଜ୍ଜେନ ହସ୍ପିଟାଲକୁ ସ୍ଥାନାସ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଲାଲସିଂହଙ୍କ ହୃଦୟରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଡିଜେର ଉଚ୍ଚ ସାଉଣ୍ଡ ଯୋଗୁ ଏଭଳି ଘଟିଛି ବୋଲି ହସ୍ପିଟାଲର ଡାକ୍ତର ଜିତେନ୍ଦ୍ର ଶର୍ମା କହିଛନ୍ତି।

Share