ଫିଲ୍ମ ରିପୋର୍ଟର ପରିଚୟ ଦେଇ ଅଭିନେତ୍ରୀଙ୍କୁ ହଇରାଣ: ଯୁବକଙ୍କୁ ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ହଇରାଣ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ତେବେ ଯୁବକ ଜଣଙ୍କ ଆଉ ଏଭଳି ନ କରିବା ପାଇଁ କହିବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତାଙ୍କୁ ନୋଟିସ ଦେଇ ଛାଡିଥିବା ଜଣାପଡିଛି। ଏଥିସହ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ସମ୍ପୃକ୍ତ ଯୁବକଙ୍କୁ କୁହାଯାଇଛି। ସବୁଠୁ ବଡ଼ କଥା ହେଲା ଅଭିନେତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପାଇଁ ନାକେଦମ ହୋଇଛନ୍ତି। ପ୍ରଥମେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ସେଠାରେ ତାଙ୍କୁ ମହିଳା ଥାନାକୁ ଯିବାକୁ କୁହାଗଲା। ହେଲେ ମହିଳା ଥାନା ପୋଲିସ ନିର୍ଯାତନା କିମ୍ବା ବଳାକତ୍ାର ମାମଲା ହୋଇ ନ ଥିବା କହି ପୁଣି ଚନ୍ଦ୍ରଶେଖରପୁର ଥାନାକୁ ପଠାଇ ଦେଲେ। ଶେଷରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା।

ଘଟଣାରୁ ପ୍ରକାଶ, ଗତ ସପ୍ତାହରେ କଟକର ଜଣେ ଯୁବକ ଉକ୍ତ ଅଭିନେତ୍ରୀଙ୍କୁ ଫେସ୍‌ବୁକ୍‌ରେ ଯୋଗାଯୋଗ କରି ନିଜକୁ ଫିଲ୍ମ ରିପୋର୍ଟର ପରିଚୟ ଦେଇଥିଲେ। ଅଭିନେତ୍ରୀଙ୍କ ଏକ ଇଣ୍ଟରଭ୍ୟୁ ନେବା ପାଇଁ ତାଙ୍କ ଫୋନ୍‌ ନମ୍ବର ମାଗିନେଇଥିଲେ। ପରେ ଯୁବକ ଜଣକ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅଭିନେତ୍ରୀ ଜଣକ ମଧ୍ୟ ଗୋଟିକ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଥିଲେ। ହେଲେ ଯୁବକ ଜଣକ ଅଶ୍ଳୀଳ ପ୍ରଶ୍ନ ପଚାରିବାରୁ ଅଭିନେତ୍ରୀ ପ୍ରତିବାଦ କରିଥିଲେ। ଅଭିଯୁକ୍ତ ଯୁବକ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଟଙ୍କା ନ ଦେଲେ ବଦନାମ କରିଦେବାକୁ କହିଥିଲେ। ଏହାପରେ ଅଭିନେତ୍ରୀ ଜଣକ ଫୋନ୍‌ କାଟିଦେଇ ଆଉ ନ ଉଠାଇବାରୁ ଯୁବକ ଜଣକ ତାଙ୍କ ଫେସ୍‌ବୁକ୍‌, ଇଣ୍ଟାଗ୍ରାମ୍‌କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ପରେ ଅଭିନେତ୍ରୀଙ୍କ ଫୋନ୍‌ ନମ୍ବରକୁ ସୋସିଆଲ ମିଡିଆରେ ଛାଡ଼ିଦେବାରୁ ତାଙ୍କ ପାଖକୁ ଏକାଧିକ କଲ୍‌ ଆସିଥିଲା। ଫଳରେ ସେ ମାନସିକ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ।

Share