Categories: ଫୁରସତ

ମହାପ୍ରଭୁଙ୍କ ସେବାରେ ବାଳକ

ଶ୍ରୀମନ୍ଦିର ଉପାସନା ଧାରାରେ ଏକ ଅନନ୍ୟ ଆକର୍ଷଣ ବାଳକ ସେବା। ମୁଖ୍ୟତଃ ମୁଦିରଥ(ମୁଦିରସ୍ତ), ଦଇତା ଓ ଦତ୍ତ ମହାପାତ୍ର ପରିବାରର ବାଳକ, କିଶୋର ସାଜନ୍ତି ସେବକ। ଗଜପତିଙ୍କ ପ୍ରତିନିଧି ମୁଦିରଥ। ବାସ୍ତବରେ ଏହି ସେବା ଏକ ବ୍ୟତିକ୍ରମ। ଦଇତା କୁଳର ୨୧ ଦିନର ଶିଶୁ ସାଜେ କାଳିଆ ସାଆନ୍ତଙ୍କ ଭାଗାରି। ପୁଣି ଦତ୍ତ ମହାପାତ୍ର ପରିବାରର ଉପନୟନ ହୋଇଥିବା କିଶୋର କରେ ଠାକୁରଙ୍କ ସେବା କାର୍ଯ୍ୟ। ମହାପ୍ରଭୁଙ୍କ ସ୍ନାନ ଓ ପୂଜାବେଳେ ଚାରିପାଖରେ ସୁରକ୍ଷାବଳୟ ଗଢ଼ିଥିବା ଏଇ ବାଳକ ସେବକଙ୍କ ଦୃଶ୍ୟ ସତରେ ବିସ୍ମୟ।

ମୁଦିରଥ: ବଡୁଘର ସରିଲେ, ପୂଜା ନୀତି ଜାଣିବାର ହୋଇଗଲେ ମୁଦିରସ୍ତ ସେବକ କୁଳର ଉପନୟନ ହୋଇଥିବା କିଶୋରଙ୍କୁ ଶାଢ଼ି ବନ୍ଧାଯାଏ। ଏଇଠାରୁ ସେ ସାଜନ୍ତି ସେବକ। ଷୋଳବର୍ଷ ପର୍ଯ୍ୟନ୍ତ ଏହି ସେବା ସେ କରିପାରିବେ। ମୁଦିରଥଙ୍କ ସେବା ବିଷୟରେ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ସେବକ ଖଟଣି ନିଯୋଗ କର୍ମାଙ୍ଗୀ ଏକ ପ୍ରାମାଣିକ ଦସ୍ତାବିଜ। ଏହି କର୍ମାଙ୍ଗୀରେ ଜଣେ କିଶୋରଙ୍କୁ ମହାପ୍ରଭୁଙ୍କ ସେବାରେ ଦିଆଯାଇଛି ମର୍ଯ୍ୟାଦା । – ରାଜ ନିଯୋଗୁ ଏ ଭାଗାରି ହୁଅନ୍ତି। କୋଠଭଣ୍ଡାରୁ, ଘେରୁ, ଆଡୁଆ ଟୋପର(ଚୂଳିଆ ଟୋପି) ନେଇ ପାଳି କରିଦିଅନ୍ତି। ଖରାଦିନେ ଫୁଲଟୋପର, ଶୀତଦିନେ ରେଶମ ଟୋପର ପ୍ରଭୁଙ୍କୁ ଲାଗି ହୁଏ। ଯେଉଁଦିନ ଜନ୍ମନକ୍ଷତ୍ର ପଡ଼େ ସେହିଦିନ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ବନ୍ଦାପନା ନୀତି ହୁଏ। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ମୁଦିରଥ ବନ୍ଦାପନା କରନ୍ତି। ମାଢ଼ିଆନ ନେଇ ରାଣୀ-ହଂସପୁର ପାଇଁ କଞ୍ଚୁକୀ କରଣକୁ ଦିଅନ୍ତି ଏବଂ ଆଳତି ବାଡ଼ିଲେ ରାଜନୀତିମାନ କରନ୍ତି। ମହାଶ୍ରମ(ଗଜପତିଙ୍କ ପାଇଁ ଏକ ସମ୍ମାନସୂଚକ ସମ୍ବୋଧନ) ବିଜେ ହେଲେ ଫୁଲପ୍ରସାଦ ଆଣି ତାଙ୍କୁ ଦେବା କାର୍ଯ୍ୟ କରନ୍ତି। ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନବେଦିରେ,ରଥରେ ଛେରାପହଁରା କରନ୍ତି। ଛାଉଣି ଗାଦି(ମଠ)ରେ ବୈଠକ କରନ୍ତି। ଏହି ସେବକ ରାଜମୁଦ୍ରାର ରକ୍ଷକ, ତେଣୁ ଆଦେଶ ଲିପିରେ ରାଜମୁଦ୍ରା ଅଙ୍କନ କରିପାରନ୍ତି। ସ୍ବତ୍ୱଲିପି ଅନୁଯାୟୀ ସିଂହାସନ ତଳେ ଠିଆହୋଇ ତିନିବାଡର ନୀତି କରନ୍ତି। ସର୍ବାଙ୍ଗ, ବନ୍ଦାପନା ଓ ମଙ୍ଗଳାର୍ପଣରେ କେବଳ ବଡ଼ବାଡରେ ନୀତି କାର୍ଯ୍ୟ ସମ୍ପାଦିତ କରନ୍ତି ଏହି ସେବକ। ସ୍ନାନପୂର୍ଣ୍ଣମୀରେ ସୁନା ଗୋସେଇଁଙ୍କ ସହ ପ୍ରଥମ ଜଳଛେକ ଆଣନ୍ତି। ବାହୁଡା ଓ ସ୍ନାନବିଜେରେ ତିନିବାଡରେ ଡୋରଲାଗି ଓ ଅଞ୍ଜଳି କରନ୍ତି।

ପୁଷ୍ୟାଭିଷେକରେ ଦଣ୍ଡଛତ୍ର ସଂସ୍କାର କରି ଭିତରଛୁକୁ ଦିଅନ୍ତି। ପ୍ରସାଦ ଲାଗି ଦିନ ଭୋଗ ଆସିବା ପରେ ଖଦିପେଟା ସଂସ୍କାର କରି ମହାପ୍ରଭୁଙ୍କ ଆଡେ ଲାଗି କରନ୍ତି। ପୁଷ୍ୟାଭିଷେକରେ ଅଣସର ପିଣ୍ଡିଠାରେ ଲାଗି ହୋଇଥିବା ତଡ଼ପ ନିଜ ଭିତରେ ଶାଢ଼ି ବାନ୍ଧନ୍ତି ଓ ଲାଗି ଉତାରି ଧାରଣ କରନ୍ତି। ଏଥିପୂର୍ବରୁ ନଅରରେ ରାଜାଙ୍କଠାରୁ ଶାଢ଼ି ବନ୍ଧାଇ ଆସନ୍ତି। ଗହଣ ବିଜେ କାଳେ (ପାଟରାଣୀଙ୍କ ଶ୍ରୀମନ୍ଦିର ବିଜେ କରିବା ସମୟରେ) ମନ୍ଦିର ଶୋଧ ହୁଏ। ଏହି ସେବକ ଏକା ରହି ପାଟରାଣୀଙ୍କୁ ଦର୍ଶନ କରାନ୍ତି। ତେବେ ଏହିଭଳି ଭାବେ ବିଭିନ୍ନ ନୀତିରେ ସଂଶ୍ଳିଷ୍ଟ ହୋଇ ଗଜପତିଙ୍କ ପ୍ରତିନିଧି ଭାବରେ ମୁଦିରଥ ସେବକ ନାବାଳକ ଅବସ୍ଥାରେ ସମର୍ପିତ ହୋଇ ଯେଉଁ ସେବା କରନ୍ତି ତାହା ଏକ ବିରଳ ଉଦାହରଣ।

ସେବା ଶାସ୍ତ୍ର ସ୍ବୀକୃତ। ନୀଳାଦ୍ରି ମହୋଦୟ ଏବଂ ବାମଦେବ ସଂହିତା ଗ୍ରନ୍ଥରେ ୟାଙ୍କୁ କୁହାଯାଇଛି ଅଗ୍ନିଶର୍ମା। ଗଜପତି କପିଳେନ୍ଦ୍ର ଦେବଙ୍କ ଜୟବିଜୟ ଦ୍ୱାର ଶିଳାଲେଖରେ ଅଗ୍ନିଶର୍ମା ଶବ୍ଦ ଅଛି। ମୁଦ୍ରହସ୍ତ ଶବ୍ଦ ବି ଅଛି। ପୁରୀବୋଲି ଗ୍ରନ୍ଥରେ ଡ. ସିଦ୍ଧେଶ୍ୱର ମହାପାତ୍ର ତଡ଼ାଉ କରଣ ସ୍ବର୍ଗତ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରଦତ୍ତ ତଥ୍ୟ ଦେଇଛନ୍ତି। ତାଙ୍କ ମତରେ ବିଷ୍ଣୁଶର୍ମା ଓ ଅଗ୍ନିଶର୍ମା ଦୁଇଜଣ ମୁଦିରଥ ଥିଲେ। ସେମାନଙ୍କର ଦୁଇଟି ମଠ ଥିଲା। ଅଲଗା ଅଲଗା ନୀତି କରୁଥିଲେ। ବର୍ତ୍ତମାନ ସେ ପ୍ରାଚୀନ ନାମ ନାହିଁ। ଶାସ୍ତ୍ରରେ ସାତବର୍ଷରୁ ୧୨ ବର୍ଷ ମଧ୍ୟରେ ସେବା କରିବା ପାଇଁ ନିର୍ଦ୍ଦିଷ୍ଟ ଥିଲା। କର୍ମାଙ୍ଗୀ ବେଳକୁ ତାହା ଷୋହଳ ବର୍ଷରେ ପହଞ୍ଚିଥିଲା। ବାସ୍ତବରେ ମୁଦିରଥ ହେଉଛନ୍ତି ରାଜପ୍ରତିନିଧି ସେବକ। ବର୍ତ୍ତମାନ ଗଜପତି ୧୯୭୦ ମସିହା ଶ୍ରୀଗୁଣ୍ଡିଚା ଦିନ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ତେଣୁ ଶାଢ଼ି ବାନ୍ଧି ସେବା କରିବାର ଅବକାଶ ନ ଥିଲା। ସେ ବର୍ଷ ମୁଦିରଥ ରଥଯାତ୍ରାରେ ଛେରାପହଁରା କରିଥିଲେ। ୧୯୭୬ ମସିହାରେ ଏଲଏଲଏମ୍‌ ଅଧ୍ୟୟନ ପାଇଁ ଗଜପତି ଆମେରିକାରେ ଥିବାରୁ ମୁଦିରଥ ଛେରାପହଁରା କରିଥିଲେ। ଆଉଥରେ ଗଜପତିଙ୍କ କନ୍ୟା (୧୯୭୭/୭୮) ଭୂମିଷ୍ଠ ହେବାରୁ ବାହୁଡ଼ାଯାତ୍ରାରେ ଗଜପତି ଛେରାପହଁରା କରି ନ ଥିଲେ। ସେତେବେଳେ ମୁଦିରଥ ପଦ୍ମନାଭ ଏହି ସେବାକାର୍ଯ୍ୟ କରିଥିଲେ। କରୋନା ମହାମାରୀ ପାଇଁ ଗତ ବର୍ଷ ଗଜପତି ମହାରାଜା ସ୍ନାନବେଦିରେ ଛେରା ପହଁରା କରି ନ ଥିଲେ। ଏହି କାର୍ଯ୍ୟ ସମ୍ପାଦିତ କରିଥିଲେ ଆଦିତ୍ୟ ନାରାୟଣ ମୁଦିରସ୍ତ। ସେହିଭଳି ଚଳିତ ବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥର ମଧ୍ୟ ମହାପ୍ରଭୁଙ୍କ ସ୍ନାନ ଉତ୍ସବରେ ଗଜପତି ମହାରାଜାଙ୍କ ପ୍ରତିନିଧି ନାରାୟଣ ମୁଦିରସ୍ତ ସ୍ନାନମଣ୍ଡପରେ ଛେରାପହଁରା କରିଥିଲେ।

ଦତ୍ତ ମହାପାତ୍ର: ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଦୁଇପ୍ରକାର ଚିତ୍ରକର ନିଯୁକ୍ତ ରହିଛନ୍ତି। ଦାରୁଦିଅଁ ସେବାପୂଜାରେ ପୁରାତନ ସେବକଭାବେ ‘ଦତ୍ତମହାପାତ୍ର’ଙ୍କୁ ଗ୍ରହଣ କରାଯାଇଥାଏ। ଏମାନେ ହିଁ ସ୍ଥପତି ଚିତ୍ରକାର ପର୍ଯ୍ୟାୟଭୁକ୍ତ। ଏମାନଙ୍କୁ ମଧ୍ୟ ସୃଜନଶୀଳ ସ୍ଥପତି କୁହାଯାଇପାରେ। ଏହି ‘ଦତ୍ତମହାପାତ୍ର’ ସେବକ ଦଇତା ସେବକଙ୍କ ସମସାମୟିକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ନିମନ୍ତେ ଏମାନେ ଶାଢ଼ି ବନ୍ଧାନ୍ତି ନାହିଁ। ପାଳି ଖଟିବା ବା ସେବା କରିବାର ସମୟ ଆସିଲେ ରାଜଦରବାରରେ ଗଜପତିଙ୍କୁ ଦରଖାସ୍ତ ଦେଇ ସେବା ଖଟୁଥିଲେ। ଯେପରି ଦଇତା ସେବକଙ୍କର ପୁତ୍ରସନ୍ତାନ ଜାତ ହେଲାମାତ୍ରେ ସେବା ଅଧିକାର ଆସିଥାଏ, ଠିକ୍‌ ସେହିପରି ଦତ୍ତମହାପାତ୍ରଙ୍କ ଘରେ ପୁତ୍ରକୁ ବର୍ଷେ ହେଲେ ଅଣସର ଦିଅଁଙ୍କୁ ଛୁଅଁାଇ ଦିଆଯାଏ। ଦିଅଁଙ୍କୁ ଛୁଅଁାଇ ଦେବା ପରେ ତା’ର ସେବାର ଅଧିକାର ଆସିଥାଏ। ନଅବର୍ଷର ସଂସ୍କାର ଆସିବା ପରେ ସେ ସିଧା ମହାପ୍ରଭୁଙ୍କ ବନକଲାଗି ସେବାରେ ସହଯୋଗ କରିଥାଏ। ଶ୍ରୀପୁରୁଷୋତ୍ତମ କର୍ମାଙ୍ଗୀରେ ଉଲ୍ଲେଖ ଅଛି- ”ଏ ନିଯୋଗ ରଥଚାପ ଆଦି ସକଳ ବାହାର ବନକ କରିବେ। ବିଜେ ପ୍ରତିମାଙ୍କ ବନକ ଘୋରି ନିତ୍ୟାନି ରଖିବେ। ପାରୁଶ ଦେବତାଙ୍କୁ ବରଷପ୍ରତି ଯେ ଯେ ଦିନ ଯୋଗାଇ ସମୁଚ୍ଛା ବନକ କରିବେ। କନ୍ଦପପଟୀ ଦେବେ। ଦଶବତାର ପଟି ଦେବେ। ରେଖ ଆଦି ଦେବେ। ରେଖା ପଞ୍ଚମୀକୁ ପଶ୍ଚିମଦ୍ୱାର ଗବାକ୍ଷ ରୋଷ କୋଠି ଆବରଯାକ ଚିତ୍ର କରିବେ। କୋଠବେଶ ଚିତ୍ରମାନ କରିବେ। ପରମେଶ୍ୱର ମହାଶ୍ରମଙ୍କ ଅଙ୍ଗିଲା ଯେତେ ଚିତ୍ର ଆଦିର ଆବଶ୍ୟକ ଥିବ ସେ ସକଳ ବନକ କରିବେ। କଉଡ଼ି ନେବେ।“

ମହାପ୍ରଭୁଙ୍କ ନବକଳେବରରେ ବ୍ରହ୍ମପରିବର୍ତ୍ତନ ପରେ ଦଇତାଙ୍କ ପରି ଦତ୍ତମହାପାତ୍ରମାନେ ଶୁଦ୍ଧିକ୍ରିୟାରେ ଭାଗ ନେଇଥାନ୍ତି। ମୁଣ୍ଡନ ନ ହୋଇ କେବଳ ଖିଅରବାଆର ହୋଇଥାନ୍ତି। ଦଇତାମାନଙ୍କ ପରି ଦତ୍ତମହାପାତ୍ରମାନେ ଶୁଦ୍ଧିକ୍ରିୟା ପାଳିଥାନ୍ତି। ଏହା ସମ୍ପୂର୍ଣ୍ଣ ଲୋକାଚାର ମତରେ ପାଳିତ ହୋଇଥାଏ। ମହାଅଣସରରେ ଦାରୁବ୍ରହ୍ମଙ୍କର ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କର ରୂପକଳ୍ପନାର ସାକାର ରୂପ ଦେଇଥାନ୍ତି ଦତ୍ତମହାପାତ୍ରମାନେ। ପାରମ୍ପରିକ ବିଧିରେ ‘ବନକଲାଗି’ ମାଧ୍ୟମରେ ଏମାନେ ଠାକୁରମାନଙ୍କ ମୁଖାବୟବକୁ ଚିତ୍ରଣ କରିଥାନ୍ତି। ନେତ୍ରଉତ୍ସବ ଦିନ ଦତ୍ତମହାପାତ୍ର ଠାକୁରଙ୍କ ନୀତି ନିମନ୍ତେ ବଟାଯାଇଥିବା କଳା ଯୋଗାଇଥାନ୍ତି।

ବର୍ଷକୁ ୪ଥର ଅଧରପୋଛା- ଶ୍ରୀଜୀଉଙ୍କ ଅଧର ପୋଛା ଆଉ ବନକ ଲାଗି(ଗୁପ୍ତ) ସେବା କରିଥାନ୍ତି ଦତ୍ତ ମହାପାତ୍ର ସେବକ। କିଶୋର ବୟସରୁ ଏହି ସେବା କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ସେବକ କୁଳର ପିଲା ୧ ବର୍ଷର ହେଲେ ଅଣସର ସମୟରେ ତାଟି ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରି ସେବାରେ ସାମିଲ ହୁଅନ୍ତି। ୪/୫ ବର୍ଷର ହୋଇଗଲେ ଅଣସର ତାଟି ଭିତରେ ସେବା କାମ ଶିଖନ୍ତି। ଉପନୟନ ପରେ(୧୧ରୁ ୧୩/୧୪ବର୍ଷରେ)ସେମାନେ ସେବକ ଭାବେ ସିଂହାସନ ଉପରକୁ ଚଢ଼ି ସେବା କାର୍ଯ୍ୟ କରିଥାନ୍ତି। କର୍ମାଙ୍ଗୀର ବିବରଣୀ ଅନୁଯାୟୀ ରବିବାର ଅବକାଶ ପୂର୍ବରୁ ଅଧରପୋଛା ଏବଂ ଗୁରୁବାର ଏକାନ୍ତ ନୀତି ସକାଶେ ବୁଧବାର ଦ୍ୱିପ୍ରହର ସମୟରେ ହୋଇଥାଏ ବନକ ଲାଗି। ବର୍ତ୍ତମାନ ବର୍ଷକୁ ୪ଥର ଅଧରପୋଛା କାର୍ଯ୍ୟ ସମ୍ପନ୍ନ ହେଉଛି। ‘ଆମ ବଂଶରେ ଜନସଂଖ୍ୟା କମିଯିବାରୁ ଏବେ ଠାକୁର ଗୁଣ୍ଡିଚାଘରକୁ ଗଲେ, ନୀଳାଦ୍ରି ବିଜେ ପରଦିନ, ଦୋଳପୂର୍ଣ୍ଣିମା ଏବଂ ସ୍ନାନବେଦିରେ ଅଧରପୋଛା କାର୍ଯ୍ୟ ହେଉଥିବା କୁହନ୍ତି ସେବକ ଅଜୟ ଦତ୍ତମହାପାତ୍ର।

ଦଇତା ସେବକ
ମହାପ୍ରଭୁଙ୍କ ଭାଗାରି ଭାବେ ପରିଚିତ ଦଇତା ସେବକ। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁସାରେ ଏହି ସେବକ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରେ ବାହୁଟ କରିବା, ଚତୁର୍ଦ୍ଦଶୀରେ ପାଗପଟି କାଟିବା,ସେନାପଟା ଲାଗି, ମଇଲମ କରିବା ସହ ଶ୍ରୀଜୀଉଙ୍କୁ ରତ୍ନ ସିଂହାସନରୁ ସ୍ନାନବେଦିକୁ ପହଣ୍ଡି କରନ୍ତି। ସ୍ନାନ ପୂର୍ଣ୍ଣମୀ ଦିନ ପୁଷ୍ପାଳକ ସହ ମିଶି ସ୍ନାନବେଦିରେ ଦିଅଁଙ୍କୁ ହାତୀବେଶ କରାନ୍ତି, ପୁଣି ସେଠାରୁ ପହଣ୍ଡି କରି ଠାକୁରମାନଙ୍କୁ ଅଣସର ମଣ୍ଡପକୁ ଆଣନ୍ତି। ସେଠାରେ ରାହୁରେଖା ଚିତା, ମଇଲମ କରିବା ସହ ଅଣସର ଘରେ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ସକଳ ଏମାନେ ସମ୍ପାଦିତ କରିଥାନ୍ତି। ନେତ୍ରୋତ୍ସବ ଦିନ ସର୍ବାଙ୍ଗ, ବନ୍ଦାପନା, ରାତିରେ ବାହୁଟ କଣ୍ଟ/ ସେନାପଟା ଲାଗି କରନ୍ତି। ଏଥିସହ ଶ୍ରୀଗୁଣ୍ଡିଚା ଦିନ ଠାକୁରଙ୍କୁ ରଥକୁ ପହଣ୍ଡି ବିଜେ କରାଇବା, ରଥରେ ରୁନ୍ଧା,ବେଶ,ଅଳଙ୍କାର ଲାଗି , ଚିତାଲାଗି ଓ ରଥଶୋଧ ନୀତି କରିଥାନ୍ତି ଏହି ସେବକ।

ପୁଣି ଗୁଣ୍ଡିଚା ଘରକୁ ପହଣ୍ଡି/ତା’ପରେ ସିଂହାସନରେ ରୁନ୍ଧା କରନ୍ତି। ସର୍ବାଙ୍ଗ ବନ୍ଦାପନା କରନ୍ତି। ବାହୁଡ଼ାରେ ଗୁଣ୍ଡିଚା ଭଳି ସେବା କାର୍ଯ୍ୟ ସମ୍ପାଦିତ କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁଙ୍କ ବାଡ଼ର ବାଡ଼ଗ୍ରାହୀ ଦଇତାମାଳ, ଚୂଳ, ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳକ ସହ ସୁନାବେଶ କରାନ୍ତି। ନୀଳାଦ୍ରିବିଜେ ସମୟରେ ବଚନିକା କରନ୍ତି। ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଣ୍ଠାଳ ବଣ୍ଟା ନୀତି କରନ୍ତି।ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରଙ୍କୁ ଶ୍ରୀଅଙ୍ଗ ଲାଗି କରାନ୍ତି। ନଗର ଭ୍ରମଣ କରାନ୍ତି। ଚିତାଲାଗିରେ ଚିତାଲାଗି କରାନ୍ତି। ଗହ୍ମାପୁନିଅଁରେ ସୁଦର୍ଶନ ବିଜେ ନୀତି ବଢ଼ାନ୍ତି। ମାର୍କଣ୍ଡକୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରାନ୍ତି। ରେଖା ପଞ୍ଚମୀ ଦିନ ୩ ବାଡ଼ରେ ରାହୁରେଖା ଲାଗି କରନ୍ତି। ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରାନ୍ତି। ଖସାପଡ଼ା ଓ ପଇତା ଲାଗି କରନ୍ତି।

ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ- ଦଇତାଙ୍କ ଘରେ ପ୍ରତ୍ୟେକ ପୁରୁଷ(ପିଲା ସମେତ) ଦଇତା ଭାଗାରି ଭାବେ ଗଣା ହୁଅନ୍ତି। ଏମାନେ ଶାଢିବନ୍ଧା ସେବକ ନୁହନ୍ତି(ଶାଢି ମାନେ ମହାପ୍ରଭୁଙ୍କ ପିନ୍ଧା ପାଟ ମୁଣ୍ଡରେ ବନ୍ଧାଯାଏ। ଅର୍ଥାତ୍‌ ଅନୁମତି ଦିଆଯାଏ)। ଏମାନଙ୍କ ସେବା ବଂଶାନୁକ୍ରମିକ। ଏମାନଙ୍କର ସାଙ୍ଗିଆ ‘ଦାସ ମହାପାତ୍ର ’ଓ ‘ସ୍ବାଇଁ ମହାପାତ୍ର’ ମୁଖ୍ୟ ଭାବରେ ଦେଖିବାକୁ ମିଳେ। -ଏମାନେ ଅଣସରର ୧୫ଦିନ ହବିଷ ଅନ୍ନ ଖାଇବେ। କାହା ଘରକୁ ଯିବେ ନାହିଁ କି କାହା ଘରେ ଖାଇବେ ନାହିଁ। ତାଙ୍କ ଘରକୁ କେହି ଆସିବେ ନାହିଁ। ଏପରିକି ଝିଅ-ଜ୍ୱାଇଁବି । ଏ ସମୟରେ ଏମାନେ ଛୁତିକା କି ମୂର୍ତ୍ତିକା ପାଳନ କରି ନ ଥାନ୍ତି ।

ଦଇତାଙ୍କୁ ଦିଆଯାଏ ପ୍ରଭୁଙ୍କ ଆଜ୍ଞାମାଳ: ଶ୍ରୀଜଗନ୍ନାଥଙ୍କ ଉପାସନା ବିଧିରେ ବର୍ଷସାରା ୧୩୯ଥର ଆଜ୍ଞାମାଳ ଦେବାର ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି। ଗବେଷଣାରୁ ଜଣାପଡ଼ିଛି, ଏଥିମଧ୍ୟରୁ ୨୭ଥର ଦେବଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଆଠଥର ଜଡ଼, ଚେତନ ଓ ବୃକ୍ଷ ଆଦିଙ୍କୁ ଦିଆଯାଇଥାଏ। ଚେତନ ଆଜ୍ଞାମାଳ ବିଧିରେ ଦାରୁ ଅନୁସନ୍ଧାନ ପାଇଁ ବିଶେଷ ଆଜ୍ଞାମାଳ ୧୯ ବର୍ଷ ବା ୧୨ ବର୍ଷ ଅନ୍ତରରେ ପଡ଼ୁଥିବା ନବକଳେବର ଲୀଳାରେ ପ୍ରଦାନ କରାଯାଏ। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପାଣି ପଡ଼େ। ଶ୍ରୀସୁଦର୍ଶନଙ୍କ ବାଡ଼ର ବାଡ଼ଗ୍ରାହୀ ପତିମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଉଠନ୍ତି। ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି (ପାଣି) ନେବା ପରେ ପୂର୍ବରୁ ଲାଗି ହୋଇଥିବା ଚାରି ବାଡ଼ର ଅଧର ଚୁମ୍ବିତ ଆଜ୍ଞାମାଳ ମଧ୍ୟରୁ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବିଗ୍ରହରୁ ଆଣି ବଡ଼ବାଡ଼ର ବାଡ଼ଗ୍ରାହୀଙ୍କୁ ପ୍ରଦାନ କରିଥାଆନ୍ତି। ଶ୍ରୀବଳଭଦ୍ରଙ୍କ ସହିତ ସମ୍ପୃକ୍ତ ଦଇତା ସେବକଙ୍କୁ ‘ବଡ଼ବାଡ଼-ସେବକ’ କୁହାଯାଇଥାଏ। ସେହିପରି ମା’ ସୁଭଦ୍ରାଙ୍କ ଦଇତା ସେବକଙ୍କୁ ମଝିବାଡ଼ ଓ ଶ୍ରୀଜଗନ୍ନାଥଙ୍କ ଦଇତାଙ୍କୁ ‘ମହାପ୍ରଭୁଙ୍କ-ବାଡ଼ ସେବକ’ବୋଲି କୁହାଯାଇଥାଏ।

ବଡ଼ବାଡ଼ର ବାଡ଼ଗ୍ରାହୀଙ୍କୁ ଆଜ୍ଞାମାଳ ପତିମହାପାତ୍ର ପ୍ରଦାନ କରିବା ପରେ ଗରାବଡ଼ୁଙ୍କଠାରୁ ହାତୁଆଣି ନେଇ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଓଲାଗି କରି ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କୁ ପ୍ରଦାନ କରିଥାଆନ୍ତି। ତା’ପରେ ପୁଣି ହାତୁଆଣି ନେଇ ମା’ ସୁଭଦ୍ରାଙ୍କ ଅଧରମାଳ ମଝିବାଡ଼ର ବାଡ଼ଗ୍ରାହୀ ଦଇତା ସେବକଙ୍କୁ ଦେଇଥାଆନ୍ତି। ଶେଷରେ ପତିମହାପାତ୍ର ନିଜେ ଶ୍ରୀସୁଦର୍ଶନଙ୍କଠାରୁ ଆଜ୍ଞାମାଳ ନେଇ ସିଂହାସନ ତଳକୁ ଓହ୍ଲାଇ ଆସନ୍ତି।
ଆଜ୍ଞାମାଳ ପାଇଥିବା ଦଇତା ଓ ଭାଗାରିମାନେ ମହାପ୍ରଭୁଙ୍କ ସିଂହାସନ ନିକଟରୁ ଆସି କଳାହାଟ ଦ୍ୱାର ଅଣସର ପିଣ୍ଡିଠାରେ ସମବେତ ହୁଅନ୍ତି। ସେହିଠାରେ ଭିତରଛୁ ମହାପାତ୍ର ଗୋଟାବାରଲାଗି ଗୀତଗୋବିନ୍ଦ ଶାଢ଼ି ଶ୍ରୀସୁଦର୍ଶନଙ୍କ ଆଜ୍ଞାମାଳ ଧାରଣ କରିଥିବା ପତିମହାପାତ୍ରଙ୍କ ମୁଣ୍ଡରେ ବାନ୍ଧନ୍ତି। ତା’ପରେ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ମୁଣ୍ଡରେ ଶାଢ଼ି ବାନ୍ଧି ଥାଆନ୍ତି। ବନଯାଗ ଯାତ୍ରା ଆରମ୍ଭ ବିଧିରେ ଏହିଠାରେ ପ୍ରଥମେ ମଙ୍ଗଳ ଗୀତ ଗାନ କରାଯାଇଥାଏ। ତା’ପରେ ଅନ୍ୟ ଦଇତା ସେବକଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଯାଇଥାଏ। ସେଠାରୁ ଦଇତା ଓ ପତି ସେବକମାନେ ଜୟ-ବିଜୟ ଦ୍ୱାର ନିକଟକୁ ଆସିଲେ ଭିତରଛୁ ଦେଉଳକରଣଙ୍କ ମୁଣ୍ଡରେ ଗୋଟା ବାରଲାଗି ଖଣ୍ଡୁଆ ପାଟ ମୁଣ୍ଡରେ ବାନ୍ଧି ଥାଆନ୍ତି।

Share