Categories: ଜାତୀୟ

ପୋଲିସ ହାତରେ ରିଅଲ ଲାଇଫ୍‌ର ବଣ୍ଟି ଓ ବବ୍‌ଲି

ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍‌ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍‌ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ। ସେହିପରି ନୂଆଦିଲ୍ଲୀରେ ଜଣେ ବଣ୍ଟି ଓ ବବ୍‌ଲିକୁ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଅମଜଦ ଓ ରେଶମା। ଦିଲ୍ଲୀର ନନ୍ଦ ନଗର ଅଞ୍ଚଳରେ ଦୈନିକ ଏହି ଦୁଇଜଣ ଚୋରି ଓ ଲୁଟପାଟ କରିଥାନ୍ତି। ଅମଜଦ ବାଇକ୍‌ ଚଲାଉଥିବା ବେଳେ ରେଶମା ମହିଳାଙ୍କଠାରୁ ଚେନ୍‌ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହେବା ସହ ପୋଲିସଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏପ୍ରିଲ ୧୫ରେ ଅମଜଦ ଓ ରେଶମା ବାଇକ୍‌ରେ ନିଜର ଶିକାର ପାଇଁ ବାହାରିଥିବା ବେଳେ ଘଟଣା କିଛି ଅଲଗା ହୋଇଥିଲା। ରେଶମା ଜଣେ ମହିଳାଙ୍କ ଚେନ୍‌ ଟାଣିବା ପାଇଁ ଉଦ୍ୟମ କରୁଥିବା ବେଳେ ବାଇକ୍‌ରୁ ଖସିପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଦେଇଥିଲେ। ହେଲେ ଘଟଣାସ୍ଥଳରୁ ଅଭିଯୁକ୍ତ ଅମଜଦ ଫେରାର ହୋଇଯାଇଥିଲେ। ପୋଲିସ ରେଶମାଙ୍କୁ ପଚରାଉଚରା କରିବା ପରେ ତାଙ୍କ ବନ୍ଧୁ ଅମଜଦଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଅମଜଦଙ୍କ ନଁାରେ ପୂର୍ବରୁ ଆପରାଧିକ ମାମଲା ରହିଛି। କିଛି ବର୍ଷ ପୂର୍ବରୁ ଦିଲ୍ଲୀରେ ଅମଜଦ ଓ ରେଶମା ଦେଖାହେବା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଏହି ଯୋଡ଼ି ଲୁଟ୍‌ପାଟ କରିବା ସହ ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିଥିଲେ।

Share