ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାକୁ ମଙ୍ଗଳବାର ୬ଦିନ ପୂରିଛି। ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।

ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଥାନା ଅନ୍ତର୍ଗତ ବଂଶୀଧରନଗରରେ ସୌମ୍ୟଜିତଙ୍କ ଘର। ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଘଟଣା ଅଧିକ ଚର୍ଚ୍ଚା ହେବାରୁ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଦୃଶ୍ୟରୁ ଏନେଇ ସନ୍ଦେହ ଦୃଢ଼ୀଭୂତ ହେଉଛି। ଭାଇରାଲ ହେଉଥିବା ସିସିଟିଭି ଦୃଶ୍ୟ ଅନୁଯାୟୀ, ସୌମ୍ୟଜିତଙ୍କ ଘରୁ ସୋମବାର ରାତି ପ୍ରାୟ ୧୦ଟା ୦୬ରେ ଏକ ବାଇକରେ ଜଣେ ଯୁବକ ବାହାରୁଛନ୍ତି। ଏହାପରେ ଆଉ ଜଣେ ଯୁବକ ସେହି ବାଇକ ପଛରେ ବସି କେଉଁଆଡ଼େ ଚାଲିଯାଉଛନ୍ତି। ଏହାର ୧୦ ମିନିଟ୍‌ ପରେ ଚାଳକ ବାଇକ ନେଇ ଘରକୁ ଫେରୁଛନ୍ତି, ହେଲେ ପଛରେ ବସିଥିବା ଯୁବକ ତାଙ୍କ ସହ ନ ଥିବା ଦେଖିବାକୁ ମିଳୁଛି। ବାଇକ ପଛରେ ବସି ଚାଲିଯାଇଥିବା ଯୁବକ ସୌମ୍ୟଜିତ ବୋଲି ସନ୍ଦେହ କରାଯାଉଛି।

Share