ଯୁବତୀଙ୍କୁ ପ୍ରତାରଣା କରି ଜେଲ୍‌ ଗଲେ ପ୍ରେମିକ

କୋକସରା,୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ଗାଁର ଜଣେ ଯୁବତୀ ଓ ସେହି କମ୍ପାନୀରେ ସୋନପୁର ଜିଲା ଡୁଙ୍ଗରିପାଲି ଗାଁର ସୁମିତ ନାଏକ (୨୭) ମଧ୍ୟ କାମ କରୁଥିଲେ। ଏହି ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମିକଙ୍କ କଥା ଓ ବିବାହ ପ୍ରଲୋଭନରେ ଯୁବତୀ ନିଜର ସର୍ବସ୍ବ ସମର୍ପି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଯୁବକ ଯୁବତୀକୁ ପ୍ରତାରଣା କରିବା ସହ ତାମିଲନାଡୁରୁ ନିଜ ଘରକୁ ଯାଉଛି କିଛିଦିନ ପରେ ଆସିବି କହି ଆଉ ଫେରିଲେ ନାହିଁ କି ଯୁବତୀ ଫୋନ କଲେ ମଧ୍ୟ ଆଉ ଉଠାଇଲେ ନାହିଁ। ଯୁବତୀ ପ୍ରେମରେ ଧୋକା ଖାଇବା ପରେ ନିରାଶ ହୋଇ ନିଜ ଗାଁକୁ ଫେରି କୋକସରା ଥାନାର ଦ୍ୱାରସ୍ଥ ହୋଇ ଗତ ଜାନୁୟାରୀ ମାସରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାରେ କୋକସରା ପୋଲିସ ସୋନପୁର ପୋଲିସ ସହ ଯୋଗାଯୋଗ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ପ୍ରେମିକ ସୁମିତ ନାଏକକୁ ଡୁଙ୍ଗରିପାଲିରୁ ଗିରଫ କରିଥିଲେ। ଘଟଣାରେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ କୋକସରା ଥାନାରେ କେସ୍‌ ନମ୍ବର ୫/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।