ପ୍ରେମିକାଙ୍କୁ ହତ୍ୟା କରି ଅଳଙ୍କାର ଲୁଟିନେଇଥିଲେ ପ୍ରେମିକ: ଏହି ବଡ଼ ରାୟ ଦେଲେ କୋର୍ଟ

ବ୍ରହ୍ମପୁର,୧୦।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତ ପାଟପୁର ଥାନା ସିନ୍ଦୁରପୂରର ମିଥୁନ ବିଷୋୟୀଙ୍କୁ ସେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ୨୦୨୩ ଅଗଷ୍ଟ ମାସରେ ତପ୍ତପାଣି ଘାଟିରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଉକ୍ତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପାଟପୁର ପୋଲିସ ୫୦୦/୨୩ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ମିଥୁନ ବିଷୋୟୀ ଉକ୍ତ ମହିଳାଙ୍କୁ ପ୍ରେମ କରୁଥିବା ବେଳେ ତାଙ୍କୁ ଅପହରଣ କରି ତପ୍ତପାଣି ଘାଟିରେ ହତ୍ୟା କରି ପରେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ସବ୍ୟସାଚୀ ମଲ୍ଲ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ।

Share