କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲେ ପ୍ରେମିକ। ଏହି ଘଟଣାରେ କେରଳ ପୋଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡ଼ମାଝିଙ୍କୁ କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ ଥାନାର ସୁବର୍ଣ୍ଣଗିରି ପଞ୍ଚାଯତ ରାମିନିଗୁଡ଼ାରୁ ଗିରଫ କରିଛି। ପ୍ରେମିକା ରୀତିକାଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଛାଞ୍ଚେଡି ଗ୍ରାମରେ। ଦୁହେଁ କାମଧନ୍ଦା ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ  ଦୁହେଁ କେରଳ ରାଜ୍ୟର ଆରପୁଜା ଜିଲା ପୁଚାକାରୁ ଗ୍ରାମରେ ରହୁଥିଲେ। ପ୍ରେମିକା ରୀତିକା କାହା ସହିତ ସବୁବେଳେ ଫୋନ୍‌ରେ କଥାବାର୍ତ୍ତା କରୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଏପ୍ରିଲ ୨ ତାରିଖରେ ସାମୁଏଲ ଏକ ଛୁରିରେ ରୀତିକାଙ୍କ ଉପରେ ମରାଣାତ୍ମକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୀତିକାଙ୍କ ଆଖପାଖଲୋକ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଏହି ଘଟଣା ପରେ ସାମୁଏଲ ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ସେଠାକାର ଲୋକେ ରୀତିକାଙ୍କ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଘଟଣା ବିଷୟରେ କହିଥିଲେ। ପରେ ରୀତିକାଙ୍କ ବାପା ଶରତ ସାହୁ ଗାଁରୁ କେରଳ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ବାପା ଶରତ କେରଳର ପୁଚାକାରୁ ଥାନାରେ ଏକ ଲିଖିତ ଏତଲା କେସ ନଂ.୨୬୮/୨୪ ରେ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା କେରଳ ପୋଲିସ। ଅଭିଯୁକ୍ତକୁ ଖୋଜାଖୋଜି ପରେ କେରଳରେ ନ ପାଇବାରୁ ଅଧିକ ତନାଘନା ପାଇଁ କୋଟଗଡ଼ ପୋଲିସର ସହାୟତା ନେଇଥିଲେ। କୋଟଗଡ଼ ପୋଲିସ ସହାୟତାରେ ଅଭିଯୁକ୍ତ କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତ ରାମନିଗୁଡ଼ାରେ ରହୁଥିବା ସୂଚନା ପାଇ ସେଠାରୁ ଗିରଫ କରିଛି କେରଳ ପୋଲିସ। ଅଭିଯୁକ୍ତଙ୍କ ଘର କୋଟଗଡ଼ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗ୍ରାମରେ ବୋଲି କୋଟଗଡ଼ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Share