ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା ନିଜର ନୂଆ ଘରେ ଗାତ କରି ଏହା ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଛନ୍ତି। ଏହି ଘଟଣା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ସିନ୍‌ ପରି ଲାଗୁଛି।
ଛାୟା କିଛିଦିନ ହେବ ବାପଘରେ ରହୁଥିଲେ। ମାତ୍ର ୩୦ ଡିସେମ୍ବରରେ ଅଚାନକ କେଉଁଆଡ଼େ ନିଖୋଜ ହୋଇଗଲେ। ଏନେଇ ପରିବାର ଲୋକେ ୩ ଜାନୁୟାରୀ ୨୦୨୧ରେ ଭିକନଗାଓଁ ଥାନାରେ ଏତଲା ଦେଇଥିଲେ। ଛାୟା ନିଖୋଜ ହେବା ପରେ ସନ୍ତୋଷ ମଧ୍ୟ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଏବଂ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଦୁଇଜଣ ଗାଁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଏଥିସହ ସନ୍ତୋଷଙ୍କ ପିତା କିଶୋର ମଧ୍ୟ ଗାଁରୁ ଫେରାର ଥିଲେ। ସନ୍ତୋଷ ଛାୟାଙ୍କୁ ତାଙ୍କ ନୂଆ ଘରେ ବନ୍ଦୀ କରି ରଖିଥିବା ଛାୟାଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ପୋଲିସ ଛାନ୍‌ଭିନ କରି ମଧ୍ୟ କୌଣସି ସୁରାକ ପାଇ ନ ଥିଲା। ୨୬ ଜାନୁୟାରୀରେ ସନ୍ତୋଷଙ୍କ ଘର ପାଖରୁ ଗନ୍ଧ ଆସୁଥିବା ପଡ଼ୋଶୀ କହିଥିଲେ। ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘର ତାଲା ଭାଙ୍ଗି ଯାଞ୍ଚ କରିବାରୁ ଘର ଭିତରେ ଏକ ଖାଲି ସ୍ଥାନରେ ସିମେଣ୍ଟରେ ପ୍ଲାଷ୍ଟର କରାଯାଇଥିବା ଦେଖିଥିଲା। ଯେତେବେଳେ ଖୋଳିଲେ ପ୍ରଥମେ ମହିଳାଙ୍କ ଚୁଡ଼ି ଦେଖିଲା ପୋଲିସ। ପରେ ୩ ଫୁଟ ଖୋଳିବା ପରେ ଛାୟାଙ୍କ ମୃତଦେହ ମିଳିଥିଲା।
ଏସ୍‌ଡିଓପି ପ୍ରବୀଣ କୁମାର କୁହନ୍ତି, ଏଫ୍‌ଏସ୍‌ଏଲ୍‌ ଟିମ୍‌ ଡାକି ଛାୟାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି।

Share