
ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଫଳରେ ପ୍ରେମିକଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଛି। ଏହିଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲା ଇଟାମାଟି ଥାନା ଲାଠିପଡା ତଳସାହିରୁ।
ମିଳିଥିବା ସୂଚନା ମୁତାବକ, କଟକ ଜିଲା କିଶୋରନଗର ଥାନା ଯାଞ୍ଚପଡା ଗାଁର ଲିଟୁଆ ଦାସ ୪ ବର୍ଷ ହେଲା ଲାଠିପଡା ତଳସାହିର ଜଣେ ଯୁବତୀକୁ ଭଲ ପାଉଥିଲେ। ମଙ୍ଗଳବାର ଲିଟୁଆ ଲାଠିପଡା ତଳସାହିସ୍ଥିତ ପ୍ରେମିକାଙ୍କ ଘରକୁ ଆସିଥିଲେ। ସେତିକିବେଳେ ପ୍ରେମିକାଙ୍କ ୨ ଭଉଣୀ ଲିଟୁଆଙ୍କୁ ଗାଳି ଗୁଳଜ କରିବା ସହ ମରିଯିବାକୁ କହିଥିଲେ।
ଲିଟୁଆ ଦୁଇ ଭଉଣୀଙ୍କ କଥା ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରେମିକାଙ୍କ ଘର ଆଗରେ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଲିଟୁଆଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷେ ଏହି ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।