Categories: ଫୁରସତ

ପ୍ରେମିକା ବ୍ରେକ୍‌ଅପ୍‌ କରିଦେବାରୁ ଖର୍ଚ୍ଚର ହିସାବ ପଠାଇଲେ ଚାର୍ଟାର୍ଡ ପ୍ରେମିକ, ତାଲିକା ଦେଖିଲେ…

ଆଜିକାଲି ରିଲେସନଶିପ୍‌ ତାସ ପରି ହୋଇଗଲାଣି। କ୍ଷଣିକ ମଧ୍ୟରେ ବାଜି ପଲଟି ଯାଉଛି। କିଛି ସମ୍ପର୍କ ମଧ୍ୟ ଠିକ୍‌ ଏମିତି ହୋଇଗଲାଣି। କିଛି ଦିନ କିମ୍ବା କିଛି ମାସ ମଧ୍ୟରେ ଭାଙ୍ଗିଯାଉଛି। ସାଧାରଣ କଥା ପ୍ରେମିକା/ପ୍ରେମିକ ମଧ୍ୟରେ ରାଗରୁଷା ହେଲେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ମାତ୍ର ଏମିତି ଜଣେ ପ୍ରେମିକ, ଯିଏ କି ବ୍ରେକ୍‌ଅପ୍‌ ପରେ ତାଙ୍କ ପ୍ରେମିକାଙ୍କ ପାଇଁ କରିଥିବା ଖର୍ଚ୍ଚର ହିସାବ ତାଲିକା ପଠାଇଛନ୍ତି। ଖାଲି ଏତିକି ନୁହେଁ, କେଉଁ ବାବଦରେ କେତେ ଖର୍ଚ୍ଚ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଲେଖି କି ଦେଇଛନ୍ତି। ଯାହା ଖୁବ୍‌ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରେମିକ ବ୍ରେକ୍‌ଅପ୍‌ ପରେ ତାଙ୍କ ଏକ୍ସ-ଗର୍ଲଫ୍ରେଣ୍ଡକୁ ଖର୍ଚ୍ଚର ଲମ୍ବା ତାଲିକା ପଠାଇଛନ୍ତି। ଏହି ତାଲିକାରେ କ୍ୟାବ୍‌ ଖର୍ଚ୍ଚ, ଫିଲ୍ମ ଦେଖିବା ଖର୍ଚ୍ଚ,କଫି, ଥଣ୍ଡା ପାନୀୟ ଖର୍ଚ୍ଚ ମଧ୍ୟ ସାମିଲ ରହିଛି। ସବୁଠୁ ମଜାଳିଆ କଥା ହେଉଛି ପ୍ରେମିକ ଜଣକ ଖର୍ଚ୍ଚର ହିସାବ ଏକ୍ସଏଲ୍‌ ସିଟ୍‌ରେ ତିଆରି କରି ପ୍ରେମିକାଙ୍କ ନିକଟକୁ ପଠାଇଛନ୍ତି। ପ୍ରତିମାସରେ କେତେ ଖର୍ଚ୍ଚ କରିଛନ୍ତି ତାହା ମଧ୍ୟ ଲେଖିଛନ୍ତି।

ପ୍ରେମିକଙ୍କ ଅନୁଯାୟୀ, ସେ ୭ମାସ ଧରି ଜଣେ ଝିଅ ସହିତ ରିଲେସନଶିପ୍‌ରେ ଥିଲେ। ଯେଉଁଥିରେ ସେ ତାଙ୍କ ପିଛାରେ ପ୍ରାୟ ୧ ଲକ୍ଷ ୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସେ ଖର୍ଚ୍ଚକୁ ଅଧା କମାଇଛନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଖର୍ଚ୍ଚରେ ୧୮ ପ୍ରତିଶତ ଜିଏସ୍‌ଟି ମଧ୍ୟ ଯୋଡ଼ିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଖର୍ଚ୍ଚ ତାଲିକାରେ କେଶ କାଟିବା ଏବଂ ମଶା କଏଲ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା ଲେଖିଛନ୍ତି।

ଏହି ମଜାଦାର ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ trolls_official ନାମକ ଏକ ଆଇଡିରେ ଶେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୨୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହି ପୋଷ୍ଟ ଉପରେ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସେ ଠିକ୍‌ କାମ କରିଛନ୍ତି, ଏଥିରେ କ’ଣ ଭୁଲ ଅଛି’। ଆଉ ଜଣେ ଲେଖିଛନ୍ତି, ‘ମଶାଧୂପର ହିସାବ ବି ଛାଡ଼ି ନାହାନ୍ତି’।

Share