ପ୍ରେମିକାଙ୍କ ଫଟୋ ଭାଇରାଲ ଘଟଣା: ପ୍ରେମିକ ଗିରଫ

ଭୁବନେଶ୍ୱର,୨୧।୧୧(ସୂର୍ଯ୍ୟକାନ୍ତ ବେହେରା):ପ୍ରେମିକା ଦୂରେଇଯିବାରୁ ତାଙ୍କ ନାଁରେ ଫେକ୍‌ ଇନ୍‌ଷ୍ଟାଗ୍ରାମ ଆଇଡି ଖୋଲି ଖରାପ ଟିପ୍ପଣୀ ଦେବା ସହ ଫଟୋ ଭାଇରାଲ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ସେ ହେଲେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଜୟନ୍ତ ପରିଡା(୩୧)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୮ ବର୍ଷ ପୂର୍ବରୁ ଅଭିଯୁକ୍ତ ଜୟନ୍ତ ଉକ୍ତ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ। ପରେ ସମ୍ପର୍କ ନିବିଡି ହୋଇଥିଲା। କୌଣସି କାରଣବଶତଃ ଯୁବତୀ ତାଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ଅଭିଯୁକ୍ତ ଅନ୍ୟ ସହଯୋଗୀଙ୍କ ସହ ମିଶି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ ଓ ଜୀବନରୁ ମାରିଦେବା ତଥା ଘର ଉପରକୁ ବୋମା ପକାଇବା ଭଳି ଧମକ ଦେଇଆସୁଥିଲେ। ଶେଷରେ ତାଙ୍କ ସହ ପରିବାର ସଦସ୍ୟଙ୍କ ଫଟୋ ସବୁକୁ ଭାଇରାଲ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଆଇଡି ଆକ୍ଟ ସହ ବିଭିନ୍ନ ଦଫାରେ ମାମଲା (ନଂ ୨୫୫/୨୩) ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

Share