ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ ‘ବୟନିକା’। ୬୪ବର୍ଷ ଧରି ବୁଣାକାରଙ୍କ ସହ କାର୍ଯ୍ୟ କରି ଆସୁଥିବା ଏହି ସଂସ୍ଥା ଏବେ କୋଭିଡ୍‌ ମହାମାରୀ ସମୟରେ ବୁଣାକାରଙ୍କ ଜୀବନଜୀବିକାକୁ ବେଶ୍‌ ଗୁରୁତ୍ୱ ଦେଇଛି। ବୁଣାକାରଙ୍କ ପ୍ରତି ବୟନିକାର ଦାୟିତ୍ୱବୋଧ ବହୁଗୁଣିତ ହୋଇଥିବାବେଳେ ଜୀବିକାର୍ଜନ ପାଇଁ ପଦକ୍ଷେପ ନେଇଛି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବୟନିକା ପକ୍ଷରୁ କୁହାଯାଇଛି ଯେ, ଏପ୍ର୍ରିଲ ୨୦ରୁ ଏଯାବତ ବିଭିନ୍ନ ବୁଣାକାର ସମବାୟ ସମିତିକୁ ୪କୋଟି ୩୦ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି ଓ ସେମାନଙ୍କଠାରୁ ପ୍ରାୟ ୧୦କୋଟି ଟଙ୍କାର ଲୁଗା କ୍ରୟ କରିଛି। ମଜୁରୀ ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ ୧୨କୋଟି ୩୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ସକ୍ଷମହୋଇପାରିଛନ୍ତି। ଗତବର୍ଷ ତୁଳନାରେ ବୟନିକା ଚଳିତବର୍ଷ କରୋନା ପାଇଁ ୨୦କୋଟି ଟଙ୍କାର ବ୍ୟବସାୟ ହରାଇବ। ଏହାସତ୍ତ୍ୱେ ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର କିଣିବା ପାଇଁ ଓଡ଼ିଶା ସରକାର ବୟନିକାକୁ ୧୫କୋଟି ଟଙ୍କାର ସୁଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବୟନିକା ଓ ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି।

 

Share